ଗଞ୍ଜାମ – ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆଜି ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଅଣଛାତ୍ର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ଉତେଜନା ଲାଗି ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସ୍ ରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଦେବାଶିଷ ମିଶ୍ର ନାମକ ଜଣେ ଅଣଛାତ୍ର ପିଏଚଡ଼ି ଆଡ଼ମିଶନ ସମ୍ପର୍କରେ ବୁଝିବା ପାଇଁ ବିଶ୍ୱବିଦ୍ୟାଳୟକୁ ଆସିଥିଲେ । ଏହି ସମୟରେ କୌଣସି କଥାକୁ ନେଇ କେତେକ ଛାତ୍ରଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଉଭୟଙ୍କ ମଧ୍ୟରେ ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା । ଏହି ସମୟରେ ଛାତ୍ରମାନଙ୍କ ଆକ୍ରମଣରେ ଅଣଛାତ୍ର ଜଣକ ଗୁରୁତର ହୋଇପଡିଥିଲେ । ଖବର ପାଇ ବିଶ୍ୱବିଦ୍ୟାଳୟ ଫାଣ୍ଡି ଓ ଗୋପାଳପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଗୁରୁତର ଦେବାଶିଷଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରିଛି । ସମ୍ପ୍ରତି ସେ ସେଠାରେ ଚିକିତ୍ସାଧିନ ଅଛନ୍ତି । ଘଟଣାରେ ପୋଲିସ ଦୁଇ ଜଣ ଛାତ୍ରଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି । ଅନ୍ୟପକ୍ଷରେ ପୋଲିସ ଅଟକ ରଖିଥିବା ଦୁଇ ଛାତ୍ରଙ୍କୁ ତୁରନ୍ତ ଛାଡିବାକୁ ଦାବିରେ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହା ବ୍ୟତୀତ ଅଣଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ମଧ୍ୟକୁ ପ୍ରବେଶ ନିଷେଧ ଏବଂ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଛାତ୍ରମାନେ ନିଜ ଜିଦ୍ ରେ ଅଡ଼ି ବସିଛନ୍ତି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ମଧ୍ୟ ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଶେଷ ଖବର ସୁଦ୍ଧା ଛାତ୍ର ଆନ୍ଦୋଳନ ଜାରୀ ରହିଛି ।