-
ରାୟଗଡ଼ା ରେଳ ଷ୍ଟେସନରେ ମିଳିତ ମକ୍ ଡ୍ରିଲ୍ ଆୟୋଜିତ; ଏନଡିଆରଏଫ , ଓଡ୍ରାଫ ଓ ଜିଲ୍ଲା ପ୍ରଶାସନର ସକ୍ରିୟ ଅଂଶଗ୍ରହଣ
-
ରେଳ ଦୁର୍ଘଟଣା ପରିଚାଳନାରେ ସମନ୍ୱୟ, ପ୍ରସ୍ତୁତି ଓ ଉଦ୍ଧାର କାର୍ଯ୍ୟକ୍ଷମତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ଵ
ଜୟପୁର, ପୂର୍ବତଟ ରେଳପଥ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ୨୦୨୬-୨୭ ବର୍ଷ ପାଇଁ ଏକ ବ୍ୟାପକ ସମନ୍ୱିତ ଦୁର୍ଘଟଣା ପରିଚାଳନା ଅଭ୍ୟାସ ଆଜି ରାୟଗଡ଼ା ରେଳ ଷ୍ଟେସନଠାରେ ସଫଳତାର ସହ ଆୟୋଜିତ ହୋଇଅଛି । ଏହି ଅଭ୍ୟାସରେ କଟକସ୍ଥିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟବାହିନୀ , ଜିଲ୍ଲା ପ୍ରଶାସନ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ପ୍ରତିକ୍ରିୟା ସଂସ୍ଥାଗୁଡ଼ିକ ସମନ୍ୱିତ ଭାବେ ଅଂଶଗ୍ରହଣ କରିଥିଲେ।
ରେଳ ଦୁର୍ଘଟଣା ପରିସ୍ଥିତିରେ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ସମନ୍ୱୟ ଏବଂ ପ୍ରତିକ୍ରିୟା କ୍ଷମତାର ଆକଳନ କରିବା ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏକ କଳ୍ପିତ ରେଳ ଦୁର୍ଘଟଣା ପରିସ୍ଥିତିକୁ ଆଧାର କରି ଉଦ୍ଧାର କାର୍ଯ୍ୟ, ରିଲିଫ୍, ଚିକିତ୍ସା ସହାୟତା, ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଏବଂ ଅନ୍ୟାନ୍ୟ ଜରୁରୀକାଳୀନ କାର୍ଯ୍ୟରେ ବିଭିନ୍ନ ସଂସ୍ଥାର ସମନ୍ୱିତ ପ୍ରୟାସକୁ ପ୍ରଦର୍ଶିତ କରିବାର ଏହା ଏକ ଉତ୍ତମ ସୁଯୋଗ ଥିଲା। ଏହି ଅଭ୍ୟାସରେ ପୂର୍ବତଟ ରେଳପଥ ରାୟଗଡ଼ା ରେଳମଣ୍ଡଳ, ରାଜ୍ୟ ଚିକିତ୍ସା ଦଳ, ଅଗ୍ନିଶମ ସେବା, ରାଜ୍ୟ ପୋଲିସ, ସରକାରୀ ରେଳବାଇ ପୋଲିସ, ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ, ସିଭିଲ୍ ଡିଫେନ୍ସ, ସ୍ୱେଚ୍ଛାସେବୀ ସଂଗଠନ ଓ ସ୍ଥାନୀୟ ପ୍ରଶାସନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।
ଅଭ୍ୟାସ ସମୟରେ ବିଭିନ୍ନ ଅଂଶଗ୍ରହଣକାରୀ ସଂସ୍ଥା ଜରୁରୀ ପରିସ୍ଥିତିରେ ନିଜ ନିଜର ଭୂମିକା ଓ ଦାୟିତ୍ୱକୁ କିପରି ନିର୍ବାହ କରିବେ, ତାହା ପ୍ରଦର୍ଶନ କରିଥିଲେ। ରେଳବାଇର ବିଭିନ୍ନ ବିଭାଗ ପକ୍ଷରୁ ଟ୍ରେନ୍ ପରିଚାଳନା, ଦୁର୍ଘଟଣାସ୍ଥଳର ନିୟନ୍ତ୍ରଣ ଓ ପରିଚାଳନା, ଯୋଗାଯୋଗ ବ୍ୟବସ୍ଥା, ଚିକିତ୍ସା ସହାୟତା, ଯାତ୍ରୀ ସହାୟତା, ସୁରକ୍ଷା ଏବଂ ପୁନରୁଦ୍ଧାର ବ୍ୟବସ୍ଥା ସମ୍ପର୍କିତ କାର୍ଯ୍ୟଗୁଡ଼ିକର ସମନ୍ୱୟ କରାଯାଇଥିଲା। ଅଂଶଗ୍ରହଣକାରୀ ସଂସ୍ଥାଗୁଡ଼ିକ ପାଇଁ ସ୍ୱାଗତ ଓ ସମନ୍ୱୟ ବ୍ୟବସ୍ଥା ମଧ୍ୟ ପ୍ରଦର୍ଶିତ ହୋଇଥିଲା।
ଏହି ମିଳିତ ଅଭ୍ୟାସ ଅଂଶଗ୍ରହଣକାରୀ କର୍ମଚାରୀମାନଙ୍କୁ ବାସ୍ତବ ପରିସ୍ଥିତିରେ କାର୍ଯ୍ୟ କରିବାର ଅଭିଜ୍ଞତା ପ୍ରଦାନ କରିବା ସହ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ଏବଂ ଅପ୍ରତ୍ୟାଶିତ ରେଳ ଦୁର୍ଘଟଣାର ମୁକାବିଲା ପାଇଁ ପରିଚାଳନାଗତ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିଥିଲା। ରାୟଗଡ଼ା ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଅମିତାଭ ସିହଲ୍ ସମସ୍ତ ଅଂଶଗ୍ରହଣକାରୀ ସଂସ୍ଥା ଓ ରେଳବାଇ ବିଭାଗଗୁଡ଼ିକର ସମନ୍ୱିତ ପ୍ରୟାସକୁ ପ୍ରଶଂସା କରିଥିଲେ। ଏଭଳି ମିଳିତ ଅଭ୍ୟାସ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ବୃଦ୍ଧି କରିବା, ପ୍ରତିକ୍ରିୟା କ୍ଷମତାର ଉନ୍ନତି ଏବଂ ଜରୁରୀ ପରିସ୍ଥିତିରେ ସମସ୍ତ ସଂସ୍ଥା ମଧ୍ୟରେ ସୁଦୃଢ଼ ସମନ୍ୱୟ ସ୍ଥାପନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ବୋଲି ସେ ଉଲ୍ଲେଖ କରିଥିଲେ। ଯାତ୍ରୀଙ୍କ ସୁରକ୍ଷା ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
ରାୟଗଡ଼ା ଡିଭିଜନ ନିୟମିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ, ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ଏବଂ ପରିଚାଳନା ବ୍ୟବସ୍ଥାର ନିରନ୍ତର ଉନ୍ନତି ମାଧ୍ୟମରେ ଯାତ୍ରୀ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରିଛି। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ କାର୍ତ୍ତିକେୟ ବାସ୍ତବ ସମନ୍ୱୟ କରିଥିଲେ।
