-
ତିନିଜଣ କବି ଓ ସମାଜସେବୀଙ୍କୁ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ମାନ ପ୍ରଦାନ
ଭୁବନେଶ୍ୱର– ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପାଇଁ ଦୀର୍ଘ ୫୦ ବର୍ଷ ଧରି କାର୍ଯ୍ୟ କରୁଥିବା ପୂଜ୍ୟପୂଜାପ୍ରାଣ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ସ୍ୱନକ୍ଷତ୍ର ଉତ୍ସବକୁ ରାଜ୍ୟ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ରେଡ଼କ୍ରସ ଭବନ ସଭାଗୃହରେ ପ୍ରଦ୍ୟୁମ୍ନ ପ୍ରଣାମ ଉତ୍ସବ-୨୦୨୬ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି।
ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଓଡ଼ିଶାର ବିଶିଷ୍ଟ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ ଓଡ଼ିଶା ରାଜନୀତି, ସମାଜନୀତି, ସଂସ୍କୃତି ଓ ସାମ୍ବାଦିକତାର ଏକ ଉତୁଙ୍ଗ ବ୍ୟକ୍ତିତ୍ୱ। ଏହିଭଳି ୫ଟି ପ୍ରଦ୍ୟୁମ୍ନ ଯଦି ଓଡ଼ିଶାରେ ବାହାରିବେ ଉତ୍କଳ ଜନନୀର ଭାଗ୍ୟ ବଦଳିଯିବ। ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସୁସ୍ଥ ଓ ଦୀର୍ଘାୟୁ କରନ୍ତୁ ବୋଲି ଆଶୀର୍ବଚନ କରିଥିଲେ।
ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା କହିଲେ ଯେ, ପୂଜ୍ୟପୂଜା ଆମ ପାତାଳଭେଦୀ ସଂସ୍କୃତି, ଯାହାକୁ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ ନିଜ ଜୀବନର ଏକ ସଂକଳ୍ପ ଯାତ୍ରା ଭାବେ ଗ୍ରହଣ କରିଛନ୍ତି। ସମ୍ମାନିତ ଅତିଥି ଓଡ଼ିଶା ଅଧିବକ୍ତା ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ, ଶ୍ରୀ ଶତପଥୀଙ୍କୁ ଶୁଭକାମନା ଜଣାଇ କହିଲେ ଯେ, ସେ ଆଜୀବନ ସଂଗ୍ରାମୀ, କେବଳ କୋଟିଆ ପାଇଁ ନୁହେଁ, ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆଙ୍କୁ ସୁରକ୍ଷା ଦେବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ। ମୁଖ୍ୟବକ୍ତା ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ ସତ୍ୟନାରାୟଣ ଆଚାର୍ଯ୍ୟ ବାଗ୍ମୀ ପ୍ରଦ୍ୟୁମ୍ନଙ୍କ ସଂଗ୍ରାମୀ ମାନସିକତା ଓ ପୂଜ୍ୟପୂଜାପ୍ରାଣ ତାଙ୍କୁ ଓଡ଼ିଶାବାସୀଙ୍କ ନିକଟରେ ଚିର ପରିଚିତ କରାଇ ରଖିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ତାଙ୍କର ୫୦ ବର୍ଷର ଯାତ୍ରା ଓଡ଼ିଶାର ଯୁବ ଓ ଛାତ୍ରମାନଙ୍କ ପାଇଁ ଉଦାହରଣ। ଏହି ଅବସରରେ ପୂଜ୍ୟ ସ୍ୱାମିଜୀ ଓ ଅତିଥିମାନେ ସମାଜସେବା ଓ ଓକିଲ ଡଃ ଶମ୍ଭୁ ପାଣିଗ୍ରାହୀ, ସମାଜସେବୀ ଗୁରୁଚରଣ ପ୍ରଧାନ ଓ କବି ଚିନ୍ତାମଣି ଦାଶଙ୍କୁ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ମାନ-୨୦୨୬ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବ୍ରହ୍ମଚାରୀ ଆନନ୍ଦ ଚୈତନ୍ୟ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ କବି ଚିନ୍ତାମଣି ଦାଶଙ୍କ ପୁସ୍ତକ ‘ଅର୍ଘ୍ୟ, ସୁମିତ୍ରା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।
