ଭୁବନେଶ୍ୱର -ଏମ୍ସ ଭୁବନେଶ୍ୱର ବର୍ଣ୍ସ ଏଣ୍ଡ୍ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଅନ୍ତର୍ଗତ ବର୍ଣ୍ଣ ସେଂଟର୍ ପକ୍ଷରୁ ଜଳାପୋଡ଼ା ଆଘାତ ପରିଚାଳନା, ଉନ୍ନତ ଚିକିତ୍ସା ତଥା ଏକ୍ଷେତ୍ରରେ ଆରୋଗ୍ୟ ସେବାକୁ ସୁଦୃଢ଼ କରିବା ନିମନ୍ତେ ଏକ ଚାରିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର ଉଦ୍ଯାପିତ ହୋଇଯାଇଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନ “ଟ୍ରମା ଏବଂ ଜଳାପୋଡ଼ା ଆଘାତ ନିବାରଣ ଓ ପରିଚାଳନା, ଜାତୀୟ କାର୍ଯ୍ୟକ୍ରମ’ ଅଧୀନରେ, ଏମ୍ସ ଭୁବନେଶ୍ୱର ବର୍ଣ୍ଣ ସେଂଟରରେ ଚଳିତ ମାସ ୨୫ ରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୫ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳରୁ ମୋଟ ୧୯ ଜଣ ଚିକିତ୍ସକ ଅଂଶଗ୍ରହଣ କରିଥିଲେ। ଏଥିରେ ଆନ୍ଧ୍ରପ୍ରଦେଶ (୬), ଆସାମ (୫), ଓଡ଼ିଶା (୩), ରାଜସ୍ଥାନ (୨), ପୁଡୁଚେରୀ (୨) ଏବଂ ତାମିଲନାଡୁ (୧) ରୁ ଆସିଥିବା ସରକାରୀ ଡାକ୍ତରଖାନାର ଚିକିତ୍ସା ଅଧିକାରୀ, ବିଶେଷଜ୍ଞ ଏବଂ ବିଭିନ୍ନ ମେଡିକାଲ୍ କଲେଜର ଅଧ୍ୟାପକମାନେ ଅନ୍ତର୍ଭୁକ୍ତ ଥିଲେ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଉନ୍ନତ ଧରଣର “ବର୍ଣ୍ଣ ମ୍ୟାନେଜମେଂଟ’ (ଜଳାପୋଡ଼ା ଆଘାତ ପରିଚାଳନା) ଉପରେ କେନ୍ଦ୍ରିତ ଥିଲା। ଏହି ତାଲିମ କାର୍ଯ୍ୟକ୍ରମରେ ତରଳ ପଦାର୍ଥର ଯୋଗାଣ, ଶ୍ୱାସନଳୀ ପରିଚାଳନା, ଗୁରୁତର ରୋଗୀଙ୍କ ଚିକିତ୍ସା, କ୍ଷତ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ ଏବଂ ଅସ୍ତ୍ରୋପଚାର ସମ୍ବନ୍ଧୀୟ ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ ଥିଲା। ଜଳାପୋଡ଼ା ଆଘାତ ଜନିତ ଅସ୍ତ୍ରୋପଚାରର ସିଧାସଳଖ ପ୍ରଦର୍ଶନ ଏହି ତାଲିମ୍ର ପ୍ରମୁଖ ବିଶେଷତା ଥିଲା। ଏହାଦ୍ୱାରା ଅଂଶଗ୍ରହଣକାରୀ ଚିକିତ୍ସକମାନେ ଜୀବନ ରକ୍ଷାକାରୀ ପ୍ରକ୍ରିୟାଗୁଡ଼ିକ ବିଷୟରେ ବ୍ୟାବହାରିକ ଜ୍ଞାନ ହାସଲ କରିବାର ସୁଯୋଗ ପାଇଥିଲେ।
ଚାରି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜଳାପୋଡ଼ା ଆଘାତପ୍ରାପ୍ତ ଶିଶୁ, ବୟସ୍କ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା, ବିଦ୍ୟୁତ ଓ ରାସାୟନିକ ପଦାର୍ଥ ଦ୍ୱାରା ହେଉଥିବା ପୋଡ଼ା ଆଘାତ, ପୁନର୍ବାସ, “ସ୍କିନ୍ ବ୍ୟାଙ୍କିଂ’ (ଚର୍ମ ସଂରକ୍ଷଣ) ଏବଂ ଦ୍ୱିପାବଳୀ, ମହାଶିବରାତ୍ରୀ(ଜାଗର) ଭଳି ବିଭିନ୍ନ ପର୍ବପର୍ବାଣି ସମୟରେ ହେଉଥିବା ପୋଡ଼ା ଆଘାତକୁ କିପରି ରୋକାଯାଇପାରିବ, ସେ ବିଷୟରେ ମଧ୍ୟ ବ୍ୟାପକ ଆଲୋଚନା କରାଯାଇଥିଲା। ଅଂଶଗ୍ରହଣକାରୀମାନେ କ୍ଷତ ସଫା କରି ପଟି ବାନ୍ଧିବା, ଶ୍ୱାସନଳୀ ପରିଚାଳନା, ସିପିଆର୍ ଏବଂ “ସେଣ୍ଟ୍ରାଲ ଲାଇନ୍’ (ଶିରାରେ ନଳୀ ଲଗାଇବା) ପ୍ରକ୍ରିୟା ଉପରେ ବ୍ୟାବହାରିକ ପ୍ରଶିକ୍ଷଣ ପାଇଥିଲେ। ଏହା ସହିତ, ସେମାନଙ୍କୁ ପୋଡ଼ା ଆଘାତ ପାଇଁ ଉଦ୍ଦିଷ୍ଟ ଆଇସିୟୁ (ବର୍ଣ୍ଣ ଆଇସିୟୁ) ସୁବିଧା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା।
କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି, ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ୱାସ ପୋଡ଼ିଯିବା ପରେ ତୁରନ୍ତ ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏପରି ଦୁର୍ଘଟଣାର ପ୍ରଥମ କିଛି ଘଂଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଭାରତରେ ପ୍ରତିବର୍ଷ ୧୦ ଲକ୍ଷରୁ ଅଧିକ ଲୋକ ମଧ୍ୟମ କିମ୍ବା ଗୁରୁତର ଭାବେ ପୋଡ଼ିଯାଆନ୍ତି। ଏମାନଙ୍କ ମଧ୍ୟରେ ମହିଳା, ଶିଶୁ ଏବଂ ଆର୍ôଥକ ଦୃଷ୍ଟିରୁ ଅବହେଳିତ ବର୍ଗର ଲୋକ ଅନ୍ତର୍ଭୁକ୍ତ। ଏକ୍ଷେତ୍ରରେ ଦେଶବ୍ୟାପୀ ଡାକ୍ତରମାନଙ୍କ ଦକ୍ଷତା ବୃଦ୍ଧି କଲେ, ରୋଗୀମାନଙ୍କୁ ସହଜ ଭାବରେ ଏବଂ ସଠିକ ସମୟରେ ଚିକିତ୍ସା ପ୍ରଦାନ ସହିତ ଅନେକ ଜୀବନ ବଞ୍ଚାଯାଇପାରିବା ନେଇ ଡ. ବିଶ୍ୱାସ ମତବ୍ୟକ୍ତ କରିଥିଲେ।
“ବର୍ଣ୍ଣସ୍ ଆଣ୍ଡ ପ୍ଲାଷ୍ଟିକ୍ ସର୍ଜରୀ’ ବିଭାଗ ମୁଖ୍ୟ ଡ. ସଞ୍ଜୟ କୁମାର ଗିରିଙ୍କ ମତରେ ପୋଡ଼ିଯିବା ପରେ ପ୍ରଥମ କିଛି ଘଂଟା ମଧ୍ୟରେ ଉପଯୁକ୍ତ ଯତ୍ନ ନେଲେ, ଜଳାପୋଡ଼ାଜନିତ ମୃତ୍ୟୁକୁ ଅଧିକାଂଶ କ୍ଷେତ୍ରରେ ରୋକାଯାଇପାରିବ। ପ୍ରଶିକ୍ଷିତ ଡାକ୍ତରମାନେ ଏହି ଗୁରୁତ୍ୱପୂର୍ଣ୍ଣ ଦକ୍ଷତାକୁ ନିଜ ନିଜ କ୍ଷେତ୍ରରେ ଉପଯୋଗ କରିପାରିବେ। ଯାହା ଫଳରେ ଉନ୍ନତମାନର ଜଳାପୋଡ଼ାଜନିତ ଚିକିତ୍ସା ସେବା ଲୋକଙ୍କ ପାଖରେ ଅଧିକ ସହଜରେ ପହଂଚିପାରିବ।
ଉଲ୍ଲେଖଯୋଗ୍ୟଯେ ଏମ୍ସ ଭୁବନେଶ୍ୱର ଆଗାମୀ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ପ୍ରତି ମାସରେ ଏହିଭଳି ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିବ। ଯେଉଁଥିରେ ଡାକ୍ତର ଏବଂ ନର୍ସମାନଙ୍କ ପାଇଁ ପର୍ଯ୍ୟାୟକ୍ରମେ (ଅଲଗା ଅଲଗା ମାସରେ) ତାଲିମ ଆୟୋଜନ କରାଯିବ। ଦେଶବ୍ୟାପୀ ଜଳାପୋଡ଼ା ଆଘାତ ଜନିତ ଚିକିତ୍ସା ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ, ମନ୍ତ୍ରଣାଳୟ ପ୍ରତି ମାସରେ ୧୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦେବାକୁ ଯୋଜନା କରିଛି।ଆସନ୍ତା ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମସ୍ତ କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ପ୍ରଥମ ମାସରେ ହିଁ ସମ୍ପୂର୍ଣ୍ଣ ହୋଇଯାଇଛି।
ଏହି କାର୍ଯ୍ୟକ୍ରମଟି ଏମ୍ସ ଭୁବନେଶ୍ୱରର ବିଭିନ୍ନ ବିଭାଗୀୟ ସଦସ୍ୟ ଏବଂ ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏଥିରେ ଡ. ସଞ୍ଜୟ କୁମାର ଗିରି, ଡ. ଏସ୍ ସୁବା, ଡ. ଅମିୟ କୁମାର ବାରିକ, ଡ. ଏ. କାନୁନ୍େଗା, ଡ. ଏସ୍. ଏସ୍. ବେହେରା, ଡ. ଦେବୀଶ୍ରୀ ଦାସ, ଡ. ତରୁଣ କୁମାର ପାତ୍ର, ଡ. ଶିଖା ଜୈସୱାଲ, ଡ. ଜୟନ୍ତ କୁମାର ମିତ୍ର, ଡ. ବିଜୟିନୀ ବେହେରା, ଡ. ସିନ୍ଧୁ ସୁଧା ସାହୁ ଏବଂ ଶ୍ରୀ ସଞ୍ଜୀବ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।
ଯଦି କେହି ପୋଡ଼ି ଯାଆନ୍ତି, ତେବେ ତୁରନ୍ତ ସେହି ସ୍ଥାନକୁ ଚାଲୁଥିବା ନଳ ପାଣି (ଟ୍ୟାପ୍ ପାଣି) ତଳେ ୨୦ ମିନିଟ୍ ପର୍ଯ୍ୟନ୍ତ ରଖି ଥଣ୍ଡା କରନ୍ତୁ। କ୍ଷତ ସ୍ଥାନରେ ଟୁଥପେଷ୍ଟ, ତେଲ, କାଳି କିମ୍ବା ବରଫ ଲଗାନ୍ତୁ ନାହିଁ। କ୍ଷତ ସ୍ଥାନକୁ ଏକ ପରିଷ୍କାର କପଡ଼ାରେ ଘୋଡ଼ାଇ ଦିଅନ୍ତୁ ଏବଂ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଚିକିତ୍ସା କରାନ୍ତୁ। ଜନସାଧାରଣଙ୍କ ସଚେତନତା ନିମନ୍ତେ ଡ. ଗିରି କହିଛନ୍ତି ଯେ, ମୃତ୍ୟୁ ପରେ ଚର୍ମ ଦାନ କରିବା ଦ୍ୱାରା ଗୁରୁତର ଭାବେ ପୋଡ଼ି ଯାଇଥିବା ରୋଗୀଙ୍କ ଜୀବନ ବଂଚାଇବାରେ ସାହାଯ୍ୟ ମିଳିପାରିବ।
