ଭୁବନେଶ୍ୱର, ଭୁବନେଶ୍ୱରର ସୁନ୍ଦରପଦାସ୍ଥିତ ଆଜାଦ ନଗର ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ବୁଧବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାର ପ୍ରାୟ ସାତ ମାସ ପରେ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ତଦନ୍ତରେ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି।
ଗିରଫ ଅଭିଯୁକ୍ତଙ୍କ ନାମ ରୋହନ ରଞ୍ଜନ ରାଉତରାୟ। ଏନଆଇଏ ସୂଚନା ଅନୁଯାୟୀ, ସେ ଭୁବନେଶ୍ୱରର ପଟିଆ ଅଞ୍ଚଳର ବାସିନ୍ଦା। ତାଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି। ବିସ୍ଫୋରଣ ସହ ଜଡ଼ିତ ଷଡ଼ଯନ୍ତ୍ରରେ ତାଙ୍କ ଭୂମିକା ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ହେପାଜତକୁ ନିଆଯାଇଥିବା ଏନଆଇଏ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦାର ଆଜାଦ ନଗରସ୍ଥିତ ଏକ ଘରେ ବେ ବୋମା ପ୍ରସ୍ତୁତ କରାଯାଉଥିବା ସମୟରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣାର ଗୁରୁତ୍ୱକୁ ଦେଖି ପରେ ମାମଲାର ତଦନ୍ତ ଦାୟିତ୍ୱ ଏନଆଇଏ କୁ ହସ୍ତାନ୍ତର କରାଯାଇଥିଲା।
ତଦନ୍ତ ସମୟରେ ଏନଆଇଏଟିମ୍ ଆଜାଦ ନଗରରେ ପହଞ୍ଚି ଘଟଣାସ୍ଥଳର ବିସ୍ତୃତ ଯାଞ୍ଚ କରିଥିଲା ଏବଂ ଫୋରେନସିକ୍ ପ୍ରମାଣ ଆଧାରରେ ତଦନ୍ତକୁ ଆଗକୁ ବଢ଼ାଇଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶେହନବାଜ ମଲ୍ଲିକ ଓରଫ ମାଫି ଏବଂ ତାଙ୍କ ମାଆ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।
ଏନଆଇଏତଦନ୍ତ ସମୟରେ ଏହି ମାମଲାରୁ ବିପୁଳ ପରିମାଣର (ଆରଡିଏକ୍ସ) ବିସ୍ଫୋରକ ଜବତ କରାଯାଇଥିଲା। ଏତେ ବଡ଼ ପରିମାଣର ଉଚ୍ଚ କ୍ଷମତାସମ୍ପନ୍ନ ବିସ୍ଫୋରକ କେଉଁ ଉଦ୍ଦେଶ୍ୟରେ ରଖାଯାଇଥିଲା ଏବଂ ଏହା ପଛରେ କି ପ୍ରକାର ଷଡ଼ଯନ୍ତ୍ର ରହିଥିଲା, ସେ ନେଇ ଏଜେନ୍ସି ତଦନ୍ତ ଜାରି ରଖିଛି।
ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ଅନେକ ବ୍ୟକ୍ତିଙ୍କୁ ପଚରାଉଚରା କରିଛି। ଜବତ ହୋଇଥିବା ଆରଡିଏକ୍ସ ର ଉତ୍ସ, ଏହାର ସମ୍ଭାବ୍ୟ ବ୍ୟବହାର, ଯୋଗାଣ ଶୃଙ୍ଖଳା ଏବଂ ସମ୍ପୂର୍ଣ୍ଣ ନେଟୱର୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଚାଲିଛି।
ବିସ୍ଫୋରଣ ପଛରେ କୌଣସି ସଂଗଠିତ ଅପରାଧିକ ଗୋଷ୍ଠୀ କିମ୍ବା ଆତଙ୍କବାଦୀ ନେଟୱର୍କର ସମ୍ପୃକ୍ତି ରହିଛି କି ନାହିଁ, ସେ ଦିଗରେ ମଧ୍ୟ ଏନଆଇଏତଦନ୍ତ କରୁଛି।
