ଭୁବନେଶ୍ୱର – ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଲଖମରା, ବରଗଡ଼ ଠାରେ ଆୟୋଜିତ ‘ଷ୍ଟପ୍ ଡାଇରିୟା କ୍ୟାମ୍ପେନ୍’ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ସମେତ ସମଗ୍ର ଭାରତରେ ଶିଶୁମାନଙ୍କୁ ଝାଡ଼ାବାନ୍ତି ରୋଗରୁ ରକ୍ଷା କରିବା ପାଇଁ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ମଧ୍ୟରେ ଝାଡ଼ାବାନ୍ତି ଜନିତ ମୃତ୍ୟୁସଂଖ୍ୟାକୁ ସମ୍ପୂର୍ଣ୍ଣ ରୂପେ ଶୂନ୍ୟକୁ ଆଣିବା।
ଚଳିତ ବର୍ଷ ଜୁନ୍ ୧୬ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବ୍ୟାପକ ଅଭିଯାନ ମାଧ୍ୟମରେ ଶିଶୁମାନଙ୍କ ଜୀବନ ରକ୍ଷା ପାଇଁ ଅନେକ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଆମର ନିଷ୍ଠାପର ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ପ୍ରତି ଘରକୁ ଘର ବୁଲି ପରିଷ୍କାର ପରିଚ୍ଛନ୍ନତା, ସ୍ୱଚ୍ଛ ପାନୀୟ ଜଳର ବ୍ୟବହାର ଏବଂ ସାବୁନରେ ଭଲଭାବେ ହାତ ଧୋଇବା ସମ୍ପର୍କରେ ମା’ମାନଙ୍କୁ ବିଶେଷ ଭାବେ ସଚେତନ କରାଉଛନ୍ତି। ଏହା ସହିତ ଝାଡ଼ାବାନ୍ତିର ତୁରନ୍ତ ମୁକାବିଲା ଓ ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରଖିବା ପାଇଁ ପ୍ରତି ଘରେ ଓଆରଏସ୍ ପ୍ୟାକେଟ୍ ଏବଂ ଜିଙ୍କ ଟାବଲେଟ୍ ମଧ୍ୟ ମାଗଣାରେ ବଂଟନ କରାଯାଉଛି। ଆସନ୍ତୁ ସମସ୍ତେ ମିଶି ଏହି ଅଭିଯାନ ପ୍ରତି ସଚେତନ ହେବା ଏବଂ ଏହାକୁ ସଫଳ କରି ଆମ ଶିଶୁମାନଙ୍କୁ ଏକ ସୁସ୍ଥ ଓ ସୁରକ୍ଷିତ ଶୈଶବ ପ୍ରଦାନ କରିବା।
ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ , ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
