ରାଂଚି– ଝାଡ଼ଖଣ୍ଡର ଚର୍ଚ୍ଚିତ ମଦ ଦୁର୍ନୀତି ମାମଲାର ତଦନ୍ତକୁ ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଏହାର କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିଛି । ଏହି କ୍ରମରେ ପୂର୍ବତନ ଅର୍ଥମନ୍ତ୍ରୀ ରାମେଶ୍ୱର ଓରାଂଓଙ୍କ ପୁଅ ରୋହିତ ଓରାଂଓ ସୋମବାର ଦିନ ନିର୍ଦ୍ଧାରିତ ସମୟରେ ରାଂଚିର ହିନୁ ସ୍ଥିତ ଇଡି ଜୋନାଲ ଅଫିସରେ ପହଂଚି ଥିଲେ, ଯେଉଁଠାରେ ତାଙ୍କୁ ପଚରାଉଚରା ଆରମ୍ଭ ହୋଇଛି ।
ସରକାରୀ ସୂତ୍ର ଅନୁଯାୟୀ, ଆବଶ୍ୟକ ଆଇନଗତ ଔପଚାରିକତା ପୂରଣ କରିବା ପରେ ଇଡି ରୋହିତ ଓରାଂଓଙ୍କୁ ପଚରାଉଚରା ଆରମ୍ଭ କରିଥିଲା । ଅନୁସନ୍ଧାନକାରୀ ସଂସ୍ଥା ଉପଲବ୍ଧ ଡକ୍ୟୁମେଂଟ, ଆର୍ଥିକ କାରବାର ଏବଂ ଏପର୍ଯ୍ୟନ୍ତ ସଂଗୃହିତ ପ୍ରମାଣ ଆଧାରରେ ସେମାନଙ୍କ ଠାରୁ ବିଭିନ୍ନ ପଏଂଟ ଉପରେ ତଥ୍ୟ ସଂଗ୍ରହ କରୁଛି । ପଚରା ଉଚୁରାର କେନ୍ଦ୍ର ମଦ ଦୁର୍ନୀତି ସହ ଜଡ଼ିତ କଥିତ ଆର୍ଥିକ କାରବାର ଏବଂ ଅନ୍ୟାନ୍ୟ ତଥ୍ୟ ବୋଲି ବିଶ୍ୱାସ କରାଯାଉଛି ।
ଇଡିର ତଦନ୍ତ ଝାଡ଼ଖଣ୍ଡର କଥିତ ମଦ ଦୁର୍ନୀତି ଏବଂ ଏହା ସହିତ ଜଡ଼ିତ ବ୍ୟବସାୟୀ ଯୋଗେନ୍ଦ୍ର ତିୱାରୀଙ୍କ ସହ ସମ୍ବନ୍ଧିତ ମାମଲା ଉପରେ କେନ୍ଦ୍ରିତ । ଏହି ତଦନ୍ତ ସମୟରେ ଏଜେନ୍ସି ରୋହିତ ଓରାଂଓଙ୍କୁ ଦ୍ୱିତୀୟ ସମନ ଜାରି କରି ଜୁଲାଇ ୬ ତାରିଖରେ ରାଂଚି ସ୍ଥିତ ଏହାର ଆଂଚଳିକ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା ।
ପୂର୍ବତନ ଅର୍ଥମନ୍ତ୍ରୀ ରାମେଶ୍ୱର ଓରାଂଓଙ୍କୁ ମଧ୍ୟ ଜୁଲାଇ ୭ ତାରିଖରେ ପଚରାଉଚରା ପାଇଁ ଇଡି ସମନ କରିଛି । ମଦ ଦୁର୍ନୀତି ତଦନ୍ତ ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ମଧ୍ୟ ଏଜେନ୍ସି ତାଙ୍କୁ ପଚରାଉଚରା କରିବ । ଏହାପୂର୍ବରୁ ଇଡି ରୋହିତ ଓରାଂଓଙ୍କୁ ପ୍ରଥମ ସମନ ଜାରି କରି ଜୁନ୍ ୨୯ରେ ଏବଂ ରାମେଶ୍ୱର ଓରାଂଓଙ୍କୁ ଜୁନ୍ ୩୦ ତାରିଖରେ ପଚରାଉଚରା ପାଇଁ ଡକାଇଥିଲା । ତେବେ ଉଭୟ ବ୍ୟକ୍ତିଗତ କାରଣ ଦର୍ଶାଇ ତିନି-ତିନି ସପ୍ତାହ ସମୟ ମାଗିଥିଲେ ।
