● ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ
● ଏଡିଏମ୍ ଦେଲେ ଥାନାରେ ଲିଖିତ ଅଭିଯୋଗ
ବାଲେଶ୍ବର:(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବାଲେଶ୍ବର ଜିଲ୍ଲାରେ ଲକ୍-ଡାଉନ୍ ନିୟମର ପରିବର୍ତ୍ତନ ହୋଇଥିବା ନେଇ ଗତକାଲି ଠାରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଗୁଜବ ଓ ଅପପ୍ରଚାର ଚାଲିଥିବା ବେଳେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏହାକୁ ଖଣ୍ତନ କରାଯାଇଛି।
ବିଶେଷକରି ହ୍ବାଟ୍ସ୍ଆପ୍ ଗ୍ରୁପ୍ ମାଧ୍ୟମରେ ଗୁଜବ ପ୍ରଚାରିତ ହେଉଛି ଯେ ନିୟମରେ ପରିବର୍ତ୍ତନ ହୋଇ ସକାଳ ୬ ଟାରୁ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଅପରାହ୍ନରେ ଆଉ ଦୋକାନ ଖୋଲିବାକୁ ଅନୁମତି ନାହିଁ। ବାଇକ୍ ନେଲେ ଗାଡ଼ି ସିଜ୍ ହେବ। ଚାଲି ଚାଲି କିମ୍ବା ସାଇକେଲ୍ ରେ ଯିବେ।
ସେହିପରି ଅନ୍ୟ କିଛି ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଛି ଯେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ବର ପୌରପାଳିକା ଅଂଚଳକୁ ସୋମବାର ଅପରାହ୍ନ ୫ଟାରୁ ଆସନ୍ତା ଶୁକ୍ରବାର ଦିନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସଟ୍-ଡାଉନ୍ ଘୋଷଣା କରାଯାଇଛି। ଏହି ଅବସରରେ ସମସ୍ତ ସପିଂ ପ୍ରତିଷ୍ଠାନ, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ ବୋଲି ମଧ୍ୟ ଗୁଜବ ହେଉଛି।
ଏହି ପରିପ୍ରେକ୍ଷୀରେ ଏଭଳି ଗୁଜବ ଓ ଅପପ୍ରଚାରକୁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଖଣ୍ତନ କରିଛି। ଏଥିରେ କୌଣସି ସତ୍ୟତା ନଥିବା କଥା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। କେବଳ ଜଳେଶ୍ବର ପୌରାଂଚଳରେ ଆଜି ସନ୍ଧ୍ୟା ୫ଟା ଠାରୁ ୧୭/୭/୨୦୨୦ ସକାଳ ୫ଘଟିକା ପର୍ଯ୍ୟନ୍ତ ସଟ୍-ଡାଉନ୍ ଜାରି କରାଯାଇଛି। କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷିତ ହୋଇଥିବା ଅଂଚଳକୁ ଛାଡ଼ିଦେଲେ ଜିଲ୍ଲାର ଅନ୍ୟାନ୍ୟ ଅଂଚଳ ପାଇଁ ପୂର୍ବରୁ ଥିବା ନିୟମରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରା ଯାଇଛି। ଏଥିସହିତ ଗୁୂଜବ ଓ ଅପପ୍ରଚାରରେ ଲିପ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଗୁଜବ, ଅପପ୍ରଚାର ଓ ବିଭ୍ରାନ୍ତିମୂଳକ ଖବର ଉପରେ ଆଦୌ ବିଶ୍ବାସ ନକରିବାକୁ ଜନସାଧାରଣଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆ ଯାଇଛି।
ଏଠାରେ ସୂଚନା ଯୋଗ୍ୟ ଯେ, ଆଜି ସଂଧ୍ୟାରେ ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ ସହଦେବଖୁଣ୍ଟା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରି ଏଭଳି ଗୁଜବକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପୋଲିସ୍କୁ କହିଥିବା ପ୍ରକାଶ।