ଜମ୍ମୁ– ବାର୍ଷିକ ଅମରନାଥ ଯାତ୍ରା ପାଇଁ ରବିବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ତୀର୍ଥଯାତ୍ରୀଙ୍କ ୧୧ ତମ ଗୃପ୍ ଜମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ଦକ୍ଷିଣ କାଶ୍ମୀର ହିମାଳୟର ପବିତ୍ର ଗୁମ୍ଫା ମନ୍ଦିର ଅଭିମୁଖେ ବାହାରିଥିଲା । ସୁରକ୍ଷା କର୍ମୀ ଏବଂ ସିଭିଲ ପ୍ରଶାସନ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ତୀର୍ଥଯାତ୍ରୀଙ୍କ ସୁଗମ ଯାତାୟାତ ସୁନିଶ୍ଚିତ କରିଥିଲେ । ସେମାନଙ୍କ ସୁରକ୍ଷା, ଚିକିତ୍ସା ସହାୟତା, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଲଜିଷ୍ଟିକ ସହାୟତା ପାଇଁ ବିସ୍ତୃତ ବ୍ୟବସ୍ଥା କରାଯାଇଥିଲା ।
ଅଧିକାରୀମାନେ କହିଛନ୍ତି ଯେ, ନୂତନ ଗୃପ୍ ରେ ୨,୩୪୫ ମହିଳା ଏବଂ ୧୮ ଜଣ ଶିଶୁ ଅଛନ୍ତି । ୧୧ ତମ ଗୃପ୍୍ ତୀର୍ଥଯାତ୍ରୀମାନେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଅଧୀନରେ ୩୫୯ଟି ଗାଡ଼ିରେ ଦୁଇଟି ପୃଥକ୍ କନଭୟରେ ବେସ୍ କ୍ୟାମ୍ପ ଛାଡିଥିଲେ । ପ୍ରଥମ କନଭୟରେ ୩,୪୨୯ ତୀର୍ଥଯାତ୍ରୀ ଥିଲେ, ଯେଉଁମାନେ ଭୋର୍ ୨ଟା ୪୪ ରେ ଗାନ୍ଦେରବଲ ଜିଲ୍ଲାର ବାଲଟାଲ ବେସ୍ କ୍ୟାମ୍ପକୁ ବାହାରିଥିଲେ । ତୀର୍ଥଯାତ୍ରୀଙ୍କୁ ନେଇ ଦ୍ୱିତୀୟ କନଭୟ ଭୋର୍ ୩ଟା ୩୫ ମିନିଟରେ ଅନନ୍ତନାଗ ଜିଲ୍ଲାର ନୁନବାନ୍ (ପହଲଗାମ) ବେସ୍ କ୍ୟାମ୍ପ ଅଭିମୁଖେ ଯାତ୍ରା କରିଥିଲା ।
ଅଧିକାରୀଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଏହି ତୀର୍ଥଯାତ୍ରାରେ ଲୋକଙ୍କ ବିପୁଳ ଅଂଶଗ୍ରହଣ ଦେଖିବାକୁ ମିଳିଛି । ଜୁଲାଇ ୩ ରେ ଯାତ୍ରା ଆରମ୍ଭ ହେବା ପରଠାରୁ, ୨.୩୦ ଲକ୍ଷରୁ ଅଧିକ ଭକ୍ତ ପବିତ୍ର ଅମରନାଥ ଗୁମ୍ଫା ମନ୍ଦିର ଭିତରେ ପ୍ରାକୃତିକ ଭାବରେ ଗଠିତ ବରଫ-ଶିବଲିଙ୍ଗର ଦର୍ଶନ ଏବଂ ପୂଜାର୍ଚ୍ଚନା କରିଛନ୍ତି । ୫୭ ଦିନ ଧରି ଚାଲିଥିବା ଏହି ବାର୍ଷିକ ତୀର୍ଥଯାତ୍ରା ରକ୍ଷା ବନ୍ଧନ ପର୍ବ ସହିତ ଅଗଷ୍ଟ ୨୮ ରେ ସମାପ୍ତ ହେବ । ଆଗାମୀ ସପ୍ତାହରେ ତୀର୍ଥଯାତ୍ରୀଙ୍କ ଆଗମନ ଜାରି ରହିବ ବୋଲି ଅଧିକାରୀମାନେ ଆଶା ରଖିଛନ୍ତି ।
