ନୂଆଦିଲ୍ଲୀ, ଆଜି ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିନି ଦିନିଆ ଇଣ୍ଡୋନେସିଆ ଗସ୍ତ ଆରମ୍ଭ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ସହଭାଗୀତାକୁ ଅଧିକ ମଜଭୁତ କରିବା ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ରହିଛି। ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତକୁ ନେଇ ଅନେକ ଆଶାବାଦୀ ରହିଛି। ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ଡିଜିଟାଲ୍ ନବସୃଜନର ବ୍ୟବହାର ଏବଂ ଭାରତର ବିକାଶମୂଳକ ସମାଧାନଗୁଡ଼ିକୁ ନିଜ ବିକାଶର ଉତ୍ସ ଭାବେ ଗ୍ରହଣ କରିବା ପାଇଁ ଏହି ଗସ୍ତ ମାର୍ଗ ପ୍ରଶସ୍ତ କରିବ ବୋଲି ଇଣ୍ଡୋନେସିଆ ଆଶାବାଦୀ ରହିଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗାମୀ ଇଣ୍ଡୋନେସିଆ ଗସ୍ତ ଏପରି ଏକ ସମୟରେ ହେଉଛି, ଯେତେବେଳେ ଦୁଇ ଦେଶ ମଧ୍ୟରେ ଥିବା ସହଭାଗିତା କେବଳ ପାରମ୍ପରିକ ସହଯୋଗର ସୀମା ଭିତରେ ଆବଦ୍ଧ ହୋଇ ନାହିଁ। ଆଜି ଇଣ୍ଡୋନେସିଆ ଭାରତକୁ କେବଳ ଏକ ରଣନୀତିକ ଅଂଶୀଦାର ଭାବରେ ନୁହେଁ, ବରଂ ପ୍ରଯୁକ୍ତିବିଦ୍ୟା, ନୀତିଗତ ବିଚାର ଏବଂ ବିକାଶମୂଳକ ସମାଧାନର ଏକ ବିଶ୍ୱସ୍ତ ଉତ୍ସ ଭାବରେ ଦେଖୁଛି।
ଖାଦ୍ୟ ସୁରକ୍ଷା ଏବଂ ଡିଜିଟାଲ୍ ଶାସନଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା, କୃଷି ଏବଂ ପ୍ରତିରକ୍ଷା ପର୍ଯ୍ୟନ୍ତ, ଭାରତର ସଫଳ ଜନକଲ୍ୟାଣକାରୀ ନୀତି ମଡେଲଗୁଡ଼ିକ ଇଣ୍ଡୋନେସିଆର ନିଜସ୍ୱ ବିକାଶ ଯାତ୍ରା ପାଇଁ ମୂଲ୍ୟବାନ ମାର୍ଗଦର୍ଶକ ସାଜୁଛି। ଏହି ପରିପ୍ରେକ୍ଷୀରେ ଭାରତର ଡିଜିଟାଲ୍ ଭିତ୍ତିଭୂମି ଏବଂ ଆମର ସାଧାରଣ ବଣ୍ଟନ ପ୍ରଣାଳୀ, ପୁଷ୍ଟିଯୁକ୍ତ ଚାଉଳ ଯୋଜନା, ସାର ସବସିଡି ସଂସ୍କାର, ଆଗ୍ରିଷ୍ଟାକ୍ ଇତ୍ୟାଦି ସାମାଜିକ କଲ୍ୟାଣକାରୀ ଯୋଜନାଗୁଡ଼ିକ ବିଷୟରେ ଜାଣିବା ଏବଂ ଶିଖିବା ପାଇଁ ଇଣ୍ଡୋନେସିଆର ଅନେକ ପ୍ରତିନିଧି ଦଳ ଭାରତ ଗସ୍ତ କରିଛନ୍ତି। ଏଣୁ ଏହି ଗସ୍ତ ସମୟରେ ନିମ୍ନ କ୍ଷେତ୍ରଗୁଡ଼ିକରେ ସହଯୋଗ ଅଧିକ ମଜଭୁତ ହୋଇପାରେ।
ଇଣ୍ଡୋନେସିଆ ଡିଜିଟାଲ୍ ପେମେଣ୍ଟ୍ କ୍ଷେତ୍ରରେ ଭାରତର ଦକ୍ଷତାର ଲାଭ ଉଠାଉଛି। ପ୍ରସ୍ତାବିତ ୟୁପିଆଇ-ୟୁଆର୍ଆିଇଏସ୍ (UPI-QRIS) ସଂଯୋଗୀକରଣ ଦ୍ୱାରା ଦୁଇ ଦେଶର ପର୍ଯ୍ୟଟକ ଏବଂ ବ୍ୟବସାୟୀମାନେ ବିନା କୌଣସି ବାଧାରେ ସୀମାପାର କାରବାର କରିପାରିବେ। ଏହି ପଦକ୍ଷେପ ପର୍ଯ୍ୟଟନ, ବାଣିଜ୍ୟ ଏବଂ ଡିଜିଟାଲ୍ ବ୍ୟବସାୟକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଥିବାବେଳେ ଏହା କାରବାରକୁ ଅଧିକ ଦ୍ରୁତ, ଶସ୍ତା ଏବଂ ସହଜ କରିବ।
ଇଣ୍ଡୋନେସିଆ ସହିତ ବ୍ୟବସାୟ କିମ୍ବା ପୁଞ୍ଜିନିବେଶ କରୁଥିବା ଭାରତୀୟ ବ୍ୟବସାୟୀ ଏବଂ ପ୍ରତିବର୍ଷ ବାଲି ତଥା ଇଣ୍ଡୋନେସିଆର ଅନ୍ୟାନ୍ୟ ସ୍ଥାନ ଭ୍ରମଣ କରୁଥିବା ପ୍ରାୟ ୧୭ ଲକ୍ଷ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ UPI–QRIS ବ୍ୟବସ୍ଥା ବେଶ୍ ପରିବର୍ତ୍ତନକାରୀ ସାବ୍ୟସ୍ତ ହେବ।
ଭାରତର ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର୍ ମଧ୍ୟ ସହଯୋଗର ଏକ ପ୍ରମୁଖ କ୍ଷେତ୍ର ଭାବରେ ଉଭା ହୋଇଛି। ଇଣ୍ଡୋନେସିଆର ଓପନ୍ ନେଟୱର୍କ (ଆଇଓଏନ୍) ଭାରତର ଓଏନ୍ଡି ସି ମଡେଲ୍ ଦ୍ୱାରା ଅନୁପ୍ରାଣିତ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ଇଣ୍ଡୋନେସିଆର ୬.୫ କୋଟିରୁ ଅଧିକ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଏକ ଅଧିକ ମୁକ୍ତ ଏବଂ ସମାବେଶୀ ଡିଜିଟାଲ୍ ବଜାର ସୃଷ୍ଟି କରିବା। Beckn 2.0 ଓପନ୍ ପ୍ରୋଟୋକଲ୍ ଉପରେ ଆଧାରିତ ଆଇଓଏନ୍, ଜୁଲାଇ ୭ ଦିନ ମୋଦୀ-ପ୍ରାବୋୱୋ ଶିଖର ସମ୍ମିଳନୀ ଅବସରରେ ପ୍ରଥମ ଲାଇଭ୍ କାରବାର ଆରମ୍ଭ କରିବ ବୋଲି ଆଶା କରାଯାଉଛି।
ଭାରତର ଡିଜିଟାଲ୍ ସହଭାଗିତା ଏବେ କେବଳ ସଫଳ ମଡେଲ୍ ବାଣ୍ଟିବା ମଧ୍ୟରେ ସୀମିତ ନାହିଁ, ବରଂ ଏହା ଇଣ୍ଡୋନେସିଆର ପରବର୍ତ୍ତୀ ପିଢ଼ିର ଡିଜିଟାଲ୍ ମେରୁଦଣ୍ଡ ଗଠନରେ ସାହାଯ୍ୟ କରୁଛି। ଇଣ୍ଡୋନେସିଆର ମହତ୍ତ୍ୱାକାଂକ୍ଷୀ ‘ଡିଜିଟାଲ୍ ନୁସାନ୍ତରା’ ପଦକ୍ଷେପର ଲକ୍ଷ୍ୟ ହେଉଛି ଏକୀକୃତ ଏବଂ ପରସ୍ପର ସହ ସଂଯୋଗକ୍ଷମ ଜାତୀୟ ଡିଜିଟାଲ୍ ଭିତ୍ତିଭୂମି ପ୍ରସ୍ତୁତ କରିବା, ଏବଂ ଭାରତୀୟ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞତା ଏହି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଉଭା ହେଉଛି।
ଭାରତୀୟ ଡିଜିଟାଲ୍ ସମାଧାନ ଯାହା ୟୁପିଆଇ, ଡିଜିଲକର୍, ଇ-କେୱାଇସି ଏବଂ ଓଏନଡିସିର ସଫଳତାକୁ ସଶକ୍ତ କରିଛି ସେଗୁଡ଼ିକ ଏବେ ଇଣ୍ଡୋନେସିଆର ନିଜସ୍ୱ ଡିଜିଟାଲ୍ ରୂପାନ୍ତରଣରେ ପ୍ରାସଙ୍ଗିକ ସାବ୍ୟସ୍ତ ହେଉଛି। ଏହା କେବଳ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାଠାରୁ ଅଧିକ ଗଭୀର ଆନୁଷ୍ଠାନିକ ସହଯୋଗ ଆଡ଼କୁ ଏକ ପରିବର୍ତ୍ତନକୁ ଦର୍ଶାଉଛି, ଯେଉଁଥିରେ ଭାରତୀୟ କମ୍ପାନୀଗୁଡ଼ିକ ସୁରକ୍ଷିତ ଏବଂ ବୃହତ ଜନସଂଖ୍ୟା-ସ୍ତରୀୟ ଡିଜିଟାଲ୍ ସାଧାରଣ ଭିତ୍ତିଭୂମି ନିର୍ମାଣର ଅନୁଭବ ପ୍ରଦାନ କରୁଛନ୍ତି।
ଇଣ୍ଡୋନେସିଆ କେବଳ ପ୍ରଯୁକ୍ତିବିଦ୍ୟାର ଗ୍ରାହକ ହୋଇ ରହିବା ପରିବର୍ତ୍ତେ ସମଗ୍ର ଆସିଆନ୍ ଦେଶରେ ଡିଜିଟାଲ୍ ସମାଧାନର ଉତ୍ପାଦକ ଏବଂ ରପ୍ତାନିକାରୀ ହେବାର ଏକ ବଡ଼ ଦୂରଦୃଷ୍ଟି ମଧ୍ୟ ରଖିଛି। ମୁକ୍ତ, ସମାବେଶୀ ଏବଂ ସାର୍ବଭୌମ ଡିଜିଟାଲ୍ ପ୍ଲାଟଫର୍ମ ସୃଷ୍ଟି କରିବାରେ ଭାରତର ଏକ ଦଶନ୍ଧିର ଅନୁଭବ ଇଣ୍ଡୋନେସିଆକୁ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ମୂଲ୍ୟବାନ ଶିକ୍ଷା ପ୍ରଦାନ କରୁଛି।
ଆର୍ଥିକ ବଜାର ପର୍ଯ୍ୟନ୍ତ ମଧ୍ୟ ଏହି ସହଯୋଗ ସମ୍ପ୍ରସାରିତ ହେଉଛି। ଏଆଇ ଚାଲିତ ବଜାର ପର୍ଯ୍ୟବେକ୍ଷଣ, ଡିଜିଟାଲ୍ ବିନିଯୋଗ ପ୍ଲାଟଫର୍ମ ଏବଂ ପ୍ରଯୁକ୍ତିବିଦ୍ୟା-ଚାଲିତ ପୁଞ୍ଜି ବଜାର ସଂସ୍କାରରେ ଭାରତୀୟ ଦକ୍ଷତାର ଉପଯୋଗ ପାଇଁ ଉଭୟ ପକ୍ଷ ଅନୁସନ୍ଧାନ କରୁଛନ୍ତି। ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନିଜର ସେୟାର ବଜାରକୁ ଆଧୁନିକୀକରଣ କରିବାରେ ଭାରତର ନିଜସ୍ୱ ଅନୁଭବ ଇଣ୍ଡୋନେସିଆ ସହିତ ସହଯୋଗର ନୂତନ ମାର୍ଗ ଉନ୍ମୋଚନ କରୁଛି।
ଇଣ୍ଡୋନେସିଆର ମହତ୍ତ୍ୱାକାଂକ୍ଷୀ ‘ମାଗଣା ପୁଷ୍ଟିକର ଆହାର’ କାର୍ଯ୍ୟକ୍ରମ ଭାରତର ମଧ୍ୟାହ୍ନ ଭୋଜନ ଯୋଜନା ଦ୍ୱାରା ଅନୁପ୍ରାଣିତ ହୋଇଛି। ସେହିପରି, ଏହାର ‘ରେଡ୍ ଆଣ୍ଡ୍ ହ୍ୱାଇଟ୍ ଭିଲେଜ୍ କୋଅପରେଟିଭ୍ସ’ ପଦକ୍ଷେପ ଜନ ଔଷଧି ମଡେଲ୍ ମାଧ୍ୟମରେ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ପାଇଁ ଭାରତ ସହିତ ସହଯୋଗର ସମ୍ଭାବନା ଖୋଜୁଛି, ଯାହା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ପହଞ୍ଚକୁ ସୁଦୃଢ଼ କରିବାରେ ସାହାଯ୍ୟ କରିବ।
ଏହି ସହଭାଗିତା ପ୍ରତିରକ୍ଷା କ୍ଷେତ୍ରକୁ ମଧ୍ୟ ସମ୍ପ୍ରସାରିତ ହେଉଛି। ଇଣ୍ଡୋନେସିଆ ପ୍ରତିରକ୍ଷା ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ସାମରିକ ପ୍ରଶିକ୍ଷଣ ଏବଂ ସାମୁଦ୍ରିକ ସହଯୋଗ କ୍ଷେତ୍ରରେ ଭାରତ ସହିତ ମିଶି କାମ କରୁଛି। ‘ଆତ୍ମନିର୍ଭର ଭାରତ’ ଅଧୀନରେ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତର ଅନୁଭବ ଦୀର୍ଘକାଳୀନ ସହଯୋଗ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି।
ଏହି ସମସ୍ତ ପଦକ୍ଷେପ ମିଳିତ ଭାବେ ଏକ ବୃହତ ଭବିଷ୍ୟତକୁ ପ୍ରତିଫଳିତ କରୁଛି। ଭାରତର ବିକାଶ ଯାତ୍ରା କେବଳ ନିଜର ନାଗରିକମାନଙ୍କୁ ଉପକୃତ କରୁନାହିଁ, ବରଂ ଏହା ବନ୍ଧୁତ୍ୱପୂର୍ଣ୍ଣ ଦେଶଗୁଡ଼ିକ ପାଇଁ ଏକ ରୂପରେଖ ସାଜୁଛି। ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆ ଗସ୍ତ କରୁଥିବାବେଳେ, ଏହି ବୃଦ୍ଧି ପାଉଥିବା ଜ୍ଞାନର ସହଭାଗିତା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କର ସବୁଠାରୁ ଶକ୍ତିଶାଳୀ ସ୍ତମ୍ଭ ଭାବରେ ଉଭା ହେଉଛି, ଯାହା ନୂତନତ୍ୱ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଦୀର୍ଘକାଳୀନ ରଣନୀତିକ ସହଯୋଗ ପାଇଁ ସୁଯୋଗ ସୃଷ୍ଟି କରୁଛି।
