ଭୁବନେଶ୍ୱର, ଆଧୁନିକ, ସହନଶୀଳ ଏବଂ ନାଗରିକ-ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆସନ୍ତାକାଲି ଓଡ଼ିଶା ସାରା ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଅଧୀନରେ ୪୯୪ଟି ବିକାଶମୂଳକ ପ୍ରକଳ୍ପର ଏକ ବୃହତ ପୋର୍ଟଫୋଲିଓର ଶୁଭାରମ୍ଭ କରିବାକୁ ଯାଉଛନ୍ତି ।
ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଆସନ୍ତାକାଲି ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦଘାଟନ କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବେ ।
୩୭ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଏହି ପ୍ରକଳ୍ପଗୁଡ଼ିକରେ ସମୁଦାୟ ୭୪.୮୭ କୋଟି ଟଙ୍କା (୭,୪୮୭.୪୬ ଲକ୍ଷ ଟଙ୍କା) ବିନିଯୋଗ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ସହରାଞ୍ଚଳର ଭିତ୍ତିଭୂମିକୁ ସୁଦୃଢ଼ କରିବା, ନାଗରିକ ସୁବିଧା ସୁଯୋଗରେ ସୁଧାର ଆଣିବା ଏବଂ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ।
ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ, ୩୧ଟି ପୌରାଞ୍ଚଳରେ ୩୬.୮୯ କୋଟି ଟଙ୍କା (୩,୬୮୮.୭୩ ଲକ୍ଷ ଟଙ୍କା) ବ୍ୟୟରେ ନିର୍ମିତ ୩୪୪ଟି ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ । ଏହି ସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାସ୍ତା, ନିଷ୍କାସନ ବ୍ୟବସ୍ଥା (ଡ୍ରେନେଜ୍), ଗୋଷ୍ଠୀଗତ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଜନସେବା ସମ୍ପତ୍ତି ସାମିଲ ରହିଛି, ଯାହା ନାଗରିକମାନଙ୍କୁ ସ୍ଥାୟୀ ଓ ତୁରନ୍ତ ଲାଭ ପ୍ରଦାନ କରିବ ବୋଲି ଆଶା କରାଯାଉଛି।
ଏହି ପୌରାଞ୍ଚଳଗୁଡ଼ିକ ମଧ୍ୟରେ ବୌଦ୍ଧଗଡ଼ ସର୍ବାଧିକ ୫୮ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ବେଳେ ଏହା ପଛକୁ ବାସୁଦେବପୁର ୫୪ଟି ପ୍ରକଳ୍ପ ଏବଂ ରାଉରକେଲା ୩୪ଟି ପ୍ରକଳ୍ପ ସହିତ ରହିଛନ୍ତି।
ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ, ୧୯ଟି ପୌରାଞ୍ଚଳରେ ୧୫୦ଟି ନୂତନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯିବ, ଯେଉଁଥିରେ ଆନୁମାନିକ ୩୭.୯୯ କୋଟି ଟଙ୍କା (୩,୭୯୮.୭୩ ଲକ୍ଷ ଟଙ୍କା) ବିନିଯୋଗ କରାଯିବ । କଟକ ମହାନଗର ନିଗମରେ ୧୭.୨୦ କୋଟି ଟଙ୍କା (୧,୭୨୦.୨୩ ଲକ୍ଷ ଟଙ୍କା) ବ୍ୟୟରେ ୫୦ଟି ନୂତନ ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଥିବାବେଳେ, ରାୟଗଡ଼ାରେ ୨୨ଟି ନୂତନ ପ୍ରକଳ୍ପ ହାତକୁ ନିଆଯିବ, ଯାହା ଏହି ଅଞ୍ଚଳଗୁଡ଼ିକରେ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।
ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମସ୍ତ ମହାନଗର ନିଗମ କମିଶନର ଏବଂ ନିର୍ବାହୀ ଅଧିକାରୀମାନଙ୍କୁ ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱର୍କ (OSWAN) ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଏବଂ ନିଜ ନିଜ ପୌରାଞ୍ଚଳରେ ଉପଯୁକ୍ତ ସମନ୍ୱୟ ଓ ଅନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ଏହି ବୃହତ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ, ସହରୀ ଭିତ୍ତିଭୂମିକୁ ମଜବୁତ କରିବା ଏବଂ ଓଡ଼ିଶାର ସହରବାସୀଙ୍କ ଜୀବନରେ ପ୍ରତ୍ୟକ୍ଷ ସୁଧାର ଆଣୁଥିବା ବିକାଶମୂଳକ କାର୍ଯ୍ୟ ପ୍ରଦାନ କରିବା ଦିଗରେ ସରକାରଙ୍କ ଦୃଢ଼ ଆଭିମୁଖ୍ୟକୁ ଦର୍ଶାଉଛି ।
