ନୂଆଦିଲ୍ଲୀ– ଲୋକସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶୁକ୍ରବାର ସମାପ୍ତ ହୋଇଛି । ପୀଠାସିନ ଅଧିକାରୀ ସନ୍ଧ୍ୟା ରାୟ ଗୃହକୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ଏବେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ରୁ ଆରମ୍ଭ ହୋଇ ଅପ୍ରେଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଲୋକସଭା କାର୍ଯ୍ୟ ପୂର୍ବାହ୍ନ ୧୧ ଟାରେ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ଦଳ ସଦସ୍ୟମାନେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରିଥିଲେ । ଏହି କାରଣରୁ ଗୃହ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ମଧ୍ୟାହ୍ନ ୧୨ଟାରେ କାର୍ଯ୍ୟ ପୁନରାରମ୍ଭ ହେବା ପରେ ପିଠାସୀନ ଅଧିକାରୀ ସନ୍ଧ୍ୟା ରାୟ ସୂଚନା ଦେଇଥିଲେ ଯେ, ଅନେକ ସଦସ୍ୟ ମୁଲତବୀ ପ୍ରସ୍ତାବ ନୋଟିସ ଦେଇଛନ୍ତି, ଯାହାକୁ ନାମାଞ୍ଜୁର କରାଯାଇଛି । ଏହା ପରେ, ସେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଡାକିଲେ । ଶ୍ରୀ ପ୍ରଧାନ ତାଙ୍କ ମନ୍ତ୍ରଣାଳୟ ସହ ଜଡ଼ିତ ପ୍ରଶ୍ନର ଉତର ଗୃହର ଟେବୁଲରେ ରଖିଥିଲେ । ଏହା ପରେ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅର୍ଜୁନ ରାମ ମେଘୱାଲ, ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରତାପରାଓ ଜାଧବ, ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ସେମାନଙ୍କ ମନ୍ତ୍ରଣାଳୟ ସହିତ ଜଡ଼ିତ ପ୍ରଶ୍ନର ଉତର ଗୃହର ଟେବୁଲ ଉପରେ ରଖିଥିଲେ ।
