ନୂଆଦିଲ୍ଲୀ– କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗୁରୁବାର ଦିନ ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଆନ୍ଧ୍ର ପ୍ରଦେଶ, ପୁଡୁଚେରୀ, ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କ ଯନ୍ତ୍ରଣା ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ଯଥା ସମ୍ଭାବ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି।
ଅମିତ ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏସଡିଆରଏଫ) ର ଦଳ ସକ୍ରିୟ ହୋଇଛନ୍ତି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ କରୁଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଏବଂ ଆବଶ୍ୟକ ସହାୟତା ନିର୍ଦ୍ଧାରଣ କରିବା ପାଇଁ ଆନ୍ତଃମନ୍ତ୍ରିସ୍ତରୀୟ କେନ୍ଦ୍ରୀୟ ଦଳ (ଆଇ.ଏମ୍.ସି.ଟି.) ଗୁଡ଼ିକୁ ଶୀଘ୍ର ପଠାଯିବ।
ଶାହା କହିଛନ୍ତି ଯେ, ସରକାର ଏହି ବିପର୍ଯ୍ୟୟ ସମୟରେ ଲୋକଙ୍କ ସହିତ ଦୃଢ ଭାବରେ ଠିଆ ହୋଇଛନ୍ତି ଏବଂ ସେମାନଙ୍କୁ ରିଲିଫ ଯୋଗାଇବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି।
ଗୃହ ମନ୍ତ୍ରୀ ପ୍ରଭାବିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଆଶ୍ୱାସନା ଦେଇଛନ୍ତି ଯେ, ବିପର୍ଯ୍ୟୟ କାରଣରୁ ଜନସାଧାରଣଙ୍କ ଯନ୍ତ୍ରଣା ହ୍ରାସ କରିବା ପାଇଁ ସରକାର ଯଥା ସମ୍ଭବ ସହାୟତା ପ୍ରଦାନ କରିବେ।
