-
ଭାରତ ନିଜର ସହଯୋଗୀ ଦେଶମାନଙ୍କ ସହ ମିଶି ସୁରକ୍ଷିତ, ସ୍ଥିର ଓ ଶାନ୍ତିପୂର୍ଣ୍ଣ ଇଣ୍ଡୋ-ପାସିଫିକ୍ ଗଠନ ପାଇଁ ପ୍ରତିବଦ୍ଧ
ନୂଆଦିଲ୍ଲୀ। ଫିଲିପାଇନ୍ସର ସେବୁଠାରେ ଆୟୋଜିତ ୧୩ତମ ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ-ପ୍ଲସ୍ (ଏଡିଏମ୍ଏମ୍-ପ୍ଲସ୍)ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ କେବଳ ସିଦ୍ଧାନ୍ତ ମଧ୍ୟରେ ସୀମିତ ନୁହେଁ। ଦଶନ୍ଧି ଦଶନ୍ଧିର ଭୂମିସ୍ତରୀୟ ଅଭିଜ୍ଞତା ଏବଂ ସଫଳ ଅଭିଯାନ ଏହି ଲଢ଼େଇକୁ ଆହୁରି ମଜଭୁତ କରିଛି। ‘ଅପରେସନ୍ ସିନ୍ଦୂର’ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରି ବିଶ୍ୱକୁ ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ସଂକଳ୍ପ ଦେଖାଇଛି। ନିଜର ସହଯୋଗୀ ଦେଶମାନଙ୍କ ସହ ଏହି ଅଭିଜ୍ଞତା ବାଣ୍ଟି ଏକ ସୁରକ୍ଷିତ, ସ୍ଥିର ଓ ଶାନ୍ତିପୂର୍ଣ୍ଣ ଇଣ୍ଡୋ-ପାସିଫିକ୍ ଗଠନ କରିବାକୁ ଭାରତ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ଭାରତୀୟ ପ୍ରତିନିଧିମଣ୍ଡଳ ସହ ବୈଠକରେ ଯୋଗଦେଇ ରାଜନାଥ ସିଂହ ଆସିଆନ୍ ଦେଶଗୁଡ଼ିକର ପ୍ରତିରକ୍ଷା ମନ୍ତ୍ରୀମାନଙ୍କୁ କହିଥିଲେ ଯେ, ଭାରତ ଓ ଆସିଆନ୍ର ଯୁବ ଜନସଂଖ୍ୟା ଆମର ସବୁଠାରୁ ବଡ଼ ଶକ୍ତି। ଏହି ସାମର୍ଥ୍ୟକୁ ନୂଆ ଦିଗ ଦେବା ପାଇଁ ଭାରତ ଏକ ମଜଭୁତ ‘ଡିଫେନ୍ସ ୟୁଥ୍ ବ୍ରିଜ୍’ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି। ଏହା ଲୋକଙ୍କ ମଧ୍ୟରେ ସମ୍ପର୍କ, ଡିଜିଟାଲ୍ ନବସୃଜନ ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବ। ଯୁବପିଢ଼ିଙ୍କୁ ସଶକ୍ତ କରି ଆମେ ଏକ ସୁଖମୟ, ସ୍ଥିର ଓ ସମୃଦ୍ଧ ଇଣ୍ଡୋ-ପାସିଫିକ୍ର ଭବିଷ୍ୟତକୁ ଅଧିକ ମଜଭୁତ କରିପାରିବା।
ସେ କହିଥିଲେ ଯେ, ‘ସର୍ବେ ଭବନ୍ତୁ ସୁଖିନଃ’ର ଭାବନା ଭାରତର ପ୍ରତିରକ୍ଷା ଓ ବୈଦେଶିକ ନୀତିର ମୂଳ ଆଧାର। ଏଡିଏମ୍ଏମ୍-ପ୍ଲସ୍ର ବିଷୟବସ୍ତୁ ‘ଆମ ଭବିଷ୍ୟତକୁ ମିଳିମିଶି ଆଗକୁ ବଢ଼ାଇବା’ ସାମୂହିକ ଦାୟିତ୍ୱ, ପାରସ୍ପରିକ ବିଶ୍ୱାସ ଏବଂ ସହଯୋଗର ଗୁରୁତ୍ୱକୁ ପ୍ରତିଫଳିତ କରୁଛି।
ଭାରତ ଏକ ମୁକ୍ତ, ସମାବେଶୀ ଏବଂ ନିୟମ-ଆଧାରିତ ଇଣ୍ଡୋ-ପାସିଫିକ୍ ଗଠନ ପାଇଁ ପ୍ରତିବଦ୍ଧ। ଏଥିରେ ଆସିଆନ୍ର କେନ୍ଦ୍ରୀୟ ଭୂମିକା ଏବଂ ଭାରତର ଦୀର୍ଘକାଳୀନ ରଣନୈତିକ ସହଭାଗିତା ଗୁରୁତ୍ୱପୂର୍ଣ୍ଣ।
ରାଜନାଥ ସିଂହ କହିଥିଲେ ଯେ, ଦଶନ୍ଧି ଦଶନ୍ଧି ଧରି ଭାରତୀୟ ନୌସେନା ମାଧ୍ୟମରେ ଭାରତ ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଯୋଗାଯୋଗ ପଥଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିଆସୁଛି। ଏକ ବିଶ୍ୱସନୀୟ ସୁରକ୍ଷା ପ୍ରଦାନକାରୀ ଭାବେ ଭାରତ ନୌଚଳାଚଳର ସ୍ୱାଧୀନତା ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ ପ୍ରତି ସମ୍ମାନ ରକ୍ଷା କରି ଏକ ସୁରକ୍ଷିତ ଓ ସ୍ଥିର ଇଣ୍ଡୋ-ପାସିଫିକ୍ ଗଠନ ପାଇଁ ପ୍ରତିବଦ୍ଧ ରହିଛି।
