ନୂଆଦିଲ୍ଲୀ– ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶୁକ୍ରବାର ଭାରତୀୟ ଜନତା ପାର୍ଟି (ବିଜେପି) କେନ୍ଦ୍ରୀୟ କାର୍ଯ୍ୟାଳୟରେ କେରଳର ୧୧୫ ଜଣ କାଉନସିଲରଙ୍କ ଏକ ପ୍ରତିନିଧିମଣ୍ଡଳୀ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ବିଜେପି ଜାତୀୟ ସଂଗଠନ ମହାସଚିବ ବିଏଲ ସନ୍ତୋଷ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତିରୁବନନ୍ତପୁରମର ମେୟର ବିବି ରାଜେଶଙ୍କ ସହିତ ଆସିଥିବା ଏହି ଜନପ୍ରତିନିଧିମାନଙ୍କ ପାଇଁ ଏକ ତିନି ଦିନିଆ କର୍ମଶାଳା ଆୟୋଜନ କରାଯାଇଛି । ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ସ୍ତରରେ ସଂଗଠନକୁ ଆହୁରି ମଜବୁତ କରିବା ଏବଂ ସୁଶାସନ ନୀତିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା । ସେ କହିଛନ୍ତି ଯେ, କେରଳରେ ଏତେ ସଂଖ୍ୟାରେ ବିଜେପି କାଉନସିଲର ନିର୍ବାଚିତ ହୋଇ ଆସିବା ପରିବର୍ତନର ସଂକେତ । ଏହା ଏକ ନୂତନ ସୂର୍ଯ୍ୟୋଦୟର ଆଗମନ ଯାହା କେରଳରେ ଏକ ବଡ଼ ପରିବର୍ତନ ଆଣିବ । ବର୍ଷ ବର୍ଷ ଧରି, କେରଳ ଏପରି ପରିସ୍ଥିତିରେ ଫସି ରହିଥିଲା, ଯେଉଁଠାରେ କୌଣସି ବିକାଶ ନଥିଲା, ଲୋକଙ୍କ ପାଇଁ କୌଣସି ସୁଯୋଗ ନଥିଲା ଏବଂ ହିଂସାତ୍ମକ ରାଜନୀତି ଦ୍ୱାରା ଏହା ପଛରେ ପଡ଼ିଯାଇଥିଲା । ସେ ଆଶା ପ୍ରକାଶ କରିଥିଲେ ଯେ, ଏହି ନୂତନ ସୂର୍ଯ୍ୟୋଦୟ ସହିତ ଏକ ବିକଶିତ ଏବଂ ସୁରକ୍ଷିତ କେରଳର ଉଦୟ ହେବ । ଏକ ବିକଶିତ ଭାରତ ସହିତ ଏକ ବିକଶିତ କେରଳର ଉଦୟ ହେବ ଏବଂ ଆଗାମୀ ସମୟରେ ବିଜେପି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ର ପ୍ରଥମ ଚିନ୍ତାଧାରା ଏବଂ ଏକ ବିକଶିତ କେରଳ ପାଇଁ ସଂକଳ୍ପ ସହିତ ଆମର ନିଷ୍ଠାବାନ୍ କର୍ମୀମାନେ ପ୍ରତ୍ୟେକ ବୁଥ୍ ରେ ପଦ୍ମ ଫୁଲ ଫୁଟାଇବା ନିମନ୍ତେ ସଂକଳ୍ପବଦ୍ଧ ।
