ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ନବରଙ୍ଗପୁରଠାରେ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ କରିବା ସହ ନୂଆ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଜିଲ୍ଲା ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ସରକାର ଲୋକଙ୍କୁ ଶାସନର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରେ ଏବଂ ସେମାନଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବାକୁ ପରମ କର୍ତବ୍ୟ ବୋଲି ଭାବେ । ଅନେକ ସମୟରେ ଆର୍ôଥକ ଅଭାବ ବା ପାରିବାରିକ ଜଞ୍ଜାଳ ଯୋଗୁଁ ଆମର ଆର୍ôଥକ ଅନଗ୍ରସର ଓ ବରିଷ୍ଠ ନାଗରିକମାନେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ରହିଯାଆନ୍ତି। ସେମାନଙ୍କର ସେହି ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ଏହି ଅଭିନବ ଯୋଜନା ଆରମ୍ଭ କରିଛୁ, ଯେଉଁଠାରେ ସରକାର ‘ଶ୍ରବଣ କୁମାର’ ସଦୃଶ ବୟୋଜ୍ୟେଷ୍ଠ ଓ ବିଧବା ମା’ମାନଙ୍କୁ ସମ୍ମାନର ସହ ଶ୍ରୀକ୍ଷେତ୍ର ନେଇ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନର ବ୍ୟବସ୍ଥା କରିବେ।
ଏହାସହ, ବିକାଶ ଓ ବିରାସତର ସମନ୍ୱୟ ରକ୍ଷା କରି ନବରଙ୍ଗପୁରବାସୀଙ୍କ ଦୀର୍ଘଦିନର ଦାବିକୁ ସମ୍ମାନ ଜଣାଇ ଆଜି ନବରଙ୍ଗପୁର ମେଡିକାଲ କଲେଜର ଭିତିପ୍ରସ୍ତର ସ୍ଥାପନ କରାଗଲା, ଯାହା ଅଂଚଳରେ ସ୍ୱାସ୍ଥ୍ୟସେବାରେ ବିପ୍ଳବ ଆଣିବ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ଦେବ। ଏହା ସହିତ ଆଜି ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଜିଲ୍ଲାର ଅର୍ଥନୈତିକ ଚିତ୍ର ବଦଳାଇବାରେ ସହାୟକ ହେବ। ଆମ ସରକାର ଆଂଚଳିକ ବୈଷମ୍ୟ ଦୂର କରି ଓଡ଼ିଶାର ପ୍ରତିଟି ଜିଲ୍ଲାର ବିକାଶ ପାଇଁ ସମାନ ଗୁରୁତ୍ୱ ଦେଉଛି। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ’ ସଂକଳ୍ପରେ ଓଡ଼ିଶାର ଭୂମିକାକୁ ସୁଦୃଢ଼ କରିବା ପାଇଁ ଆମେ “ସବକା ସାଥ୍, ସବକା ବିକାଶ” ମନ୍ତ୍ରରେ ଆଗକୁ ବଢ଼ୁଛୁ।
