ନୂଆଦିଲ୍ଲୀ– କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିନ୍ଦୁସ୍ଥାନ ଏୟାରୋନଟିକ୍ସ ଲିମିଟେଡ୍ (ଏଚ୍ଏଏଲ୍)ର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ଡା. ଡି.କେ. ସୁନୀଲଙ୍କୁ ଭେଟି ପ୍ରତିରକ୍ଷା କ୍ଷେତ୍ର ସହ ସଂପୃକ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଆଲୋଚନା କରିଛନ୍ତି।
ସୋସିଆଲ୍ ମିଡିଆରେ ସେୟାର କରାଯାଇଥିବା ବାର୍ତ୍ତା ଶ୍ରୀ ପ୍ରଧାନ କହିଛନ୍ତି ଯେ ଡା. ସୁନୀଲଙ୍କ ସହ ତାଙ୍କର ଆଲୋଚନା ଅତ୍ୟନ୍ତ ଉପଯୋଗୀ ଓ ଜ୍ଞାନବର୍ଦ୍ଧକ ଥିଲା। ରକ୍ଷା ଉତ୍ପାଦନ କ୍ଷେତ୍ରରେ ଏଚ୍ଏଏଲ୍ର ଅଗ୍ରଣୀ ଭୂମିକାକୁ ସ୍ୱୀକାର କରି ସେ କହିଛନ୍ତି ଯେ ସ୍ୱଦେଶୀ ଡିଜାଇନ୍, ଉନ୍ନତ ଉତ୍ପାଦନ ପ୍ରକ୍ରିୟା ଏବଂ ପ୍ରଯୁକ୍ତିଗତ ଆତ୍ମନିର୍ଭରତାକୁ ଆଗେଇ ନେବାରେ ଏଚ୍ଏଏଲ୍ର ଅବଦାନ ପ୍ରଶଂସନୀୟ।
କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି ଯେ ହିନ୍ଦୁସ୍ଥାନ ଏୟାରୋନଟିକ୍ସ ଲିମିଟେଡ୍ ଭାରତକୁ ଶକ୍ତିଶାଳୀ, ସୁରକ୍ଷିତ ଏବଂ ଆତ୍ମନିର୍ଭର କରିବାର ଦୃଷ୍ଟିକୋଣକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।
