
ଘଟଗାଁ – ସମୟ ସମୟରେ ବେଢ଼ି ଉପରେ କୋରଡା ପଡିଲା ଭଳି ଦଣ୍ଡ ଭଗବାନ ଦେଇଥାନ୍ତି । ସେହିଭଳି ଏକ ଅଭାବନୀୟ ଦୃଶ୍ୟ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ଗୋହିରା ପଞ୍ଚାୟତ କଲାବିଲା ଗ୍ରାମ ମୁଣ୍ଡାସାହିରେ ଘଟିଯାଇଛି ।ଏକ ଜନଜାତି ମୁଣ୍ଡା ପରିବାରର ସ୍ତ୍ରୀ ରଶ୍ମିତା ମୁଣ୍ଡା ଗତ ଆଠ ମାସ ପୂର୍ବେ ମୃତ୍ୟୁ ବରଣ କରିଥିବା ବେଳେ ଏକ ସପ୍ତାହ ପୂର୍ବରୁ ତାଙ୍କ ସ୍ୱାମୀ ରମେଶ ମୁଣ୍ଡାଙ୍କର ମୃତ୍ୟୁ ହୋଇଯାଇଛି । ସେହି ମୃତକ ପିତାମାତାଙ୍କ ଠାରୁ ଜନ୍ମ ହୋଇଥିବା ୧୦ ବର୍ଷର ଶିଶୁ ପୁତ୍ର ସଞ୍ଜୟ ମୁଣ୍ଡା ଓ ୪ବର୍ଷର ଶିଶୁ କନ୍ୟା ଶୁଭଲକ୍ଷ୍ମୀ ମୁଣ୍ଡା ବେସାହାରା ହୋଇପଡିଛନ୍ତି । ନା ସେମାନେ ବାପା ମାଙ୍କୁ ଭୁଲି ପାରୁଛନ୍ତି କିମ୍ବା ସମାଜରେ ଠିଆ ହେବାଭଳି କ୍ଷମତା ଅଛି । ଦିନକୁ ଦୁଇ ଓଳା ଖାଇବାକୁ ପାଉନଥିବା ବଡ଼ ବାପାଙ୍କ ପାଖରେ ଆଶ୍ରୟ ନେଇଛନ୍ତି ସେହି ଦୁଇ ଶିଶୁ କଳିକା ।ଖବର ପାଇ ଶାଳପଡା ଗରିବ ସେବା ସଦନର ସଭାପତି ଡ଼ଃ ଶମ୍ବୁନାଥ ରାଉତ ଏବଂ ସଦନର ସଦସ୍ୟ ସଦସ୍ୟା ଘଟଣା ସ୍ଥଳରେ ପହଞ୍ଚି ମୃତକ ପିତାମାତାଙ୍କର ଶୁଦ୍ଧିକ୍ରିୟା ପାଇଁ ସହାୟତାର ହାତ ବଢାଇଛନ୍ତି । ଭବିଷ୍ୟତରେ ସରକାରୀ ସ୍ତରରେ ସେମାନଙ୍କର ଶିକ୍ଷାଦାନ ନିମନ୍ତେ ସହଯୋଗ କରିବା ପାଇଁ ସ୍ଥାନୀୟ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ଦୁଷ୍ଟି ଆକର୍ଷଣ କରିଛନ୍ତି ।ନିକଟସ୍ଥ ସେବାଶ୍ରମ ଗୁଡିକର ପ୍ରଧାନଶିକ୍ଷକ ମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିଛନ୍ତି ।ସେଥିପାଇଁ ଆବଶ୍ୟକ କାଗଜାତ ପ୍ରସ୍ତୁତ କରାଯାଇ ଉପଯୁକ୍ତ ସ୍ଥାନରେ ନାମ ଲେଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହି ଘଟଣାକୁ ଗମ୍ଭୀରତା ସହ ଗ୍ରହଣ କରାଯିବ ବୋଲି ଡ଼ଃ ରାଉତ ଓ ସଦସ୍ୟ ସଦସ୍ୟା ମାନେ ପ୍ରତିଶ୍ରୁତି ବଦ୍ଧ ହୋଇଛନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ସେବା ସଦନର ମାନସ କୁମାର ଆଚାର୍ଯ୍ୟ, ତପନ କୁମାର ଧୀର, ପୁଷ୍ପଲତା ମହାନ୍ତି, ରାଜେଶ ଆଚାର୍ଯ୍ୟ, ବିଜୟ କୁମାର ରାଉତ, କୀର୍ତ୍ତିନ ନାୟକ, ଶ୍ୟାମସୁନ୍ଦର ମୁର୍ମୁ, ଗୌତମ ନାୟକ ପ୍ରମୁଖ ଯୋଗଦେଇଥିଲେ ।