
ଭୁବନେଶ୍ୱର– ବୁଧବାର ଶିଶୁ ବାଟିକା ପାଇଁ ପ୍ରବେଶ ଉତ୍ସବ ଖଡ଼ିଛୁଆଁ ପର୍ବର ଶୁଭାରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇବା ସହ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତି ଅନୁସାରେ ଓଡ଼ିଶାରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଶିଶୁ ବାଟିକା ପାଇଁ ପ୍ରବେଶ ଉତ୍ସବ ‘ଖଡ଼ିଛୁଆଁ – ୨୦୨୫’ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କରକମଳରେ ଶୁଭାରମ୍ଭ ହୋଇଛି । ‘ଓଡ଼ିଆ ପକ୍ଷ’ ପାଳନ ହେଉଥିବା ସମୟରେ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ଏଭଳି ବିଶେଷ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମୁଁ ମୁଖ୍ୟମନ୍ତ୍ରୀ ଏବଂ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।
ଛାତ୍ରଛାତ୍ରୀମାନେ ହେଉଛନ୍ତି ‘ବିକଶିତ ଭାରତ’ ଓ ‘ବିକଶିତ ଓଡ଼ିଶା’ର ମୂଳ ସ୍ତମ୍ଭ । ଉତମ ଏବଂ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଆମର ବଡ଼ ଦାୟିତ୍ୱ । ଶିଶୁବାଟିକା ମାଧ୍ୟମରେ ପିଲାମାନଙ୍କୁ ନାଚ, ଗୀତ, ଖେଳକୁଦ ଓ ଯାଦୁ ଆଧାରିତ ଶିକ୍ଷା ପ୍ରଦାନ କରିବା ଉପରେ ପ୍ରାଥମିକତା ଦିଆଯାଇଛି । ଆଜି ଏଭଳି ଏକ ସ୍ମରଣୀୟ ଦିବସରେ ନୂଆ କରି ବିଦ୍ୟାଳୟରେ ନାମ ଲେଖାଇଥିବା ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।