ମାଲକାନଗିରି- ବିଚ୍ଛିନ୍ନାଞ୍ଚଳର ନାମ ବଦଳି ପରବର୍ତୀ ସମୟରେ ଏହା ସ୍ବାଭିମାନ ଅଞ୍ଚଳର ମାନ୍ୟତା ପାଇଲା । ହେଲେ ବଦଳିଲାନି ଭାଗ୍ୟ । ସ୍ଥିତି ଯଥା ପୂର୍ବଂ ତଥା ପରଂ । ଏପଟେ ଶିକ୍ଷା ବ୍ୟବସ୍ଥା କଥା ବି ନକହିବା ଭଲ । ଜିଲ୍ଲାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଆଣ୍ଠୁଏ ପାଣିରେ ଗୋଦାମ ଘର ଓ ଭଙ୍ଗା ଛାତ ତଳେ ଚାଲିଛି ଶିକ୍ଷାଦାନ । ଯେଉଁଠି ପାଠପଢା ହେଉଛି ସେଇଠି ଚାଲିଛି ମଧ୍ୟାହ୍ନ ଭୋଜନ ରୋଷେଇ । ବିଚ୍ଛିନ୍ନାଞ୍ଚଳରୁ ସ୍ବାଭିମାନ ଅଞ୍ଚଳର ମାନ୍ୟତା ପରେ ବଦଳିନି ଚିତ୍ରକୋଣ୍ଡାର ଚିତ୍ର । ଏ ଚିତ୍ର ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ।
ଆଦିବାସୀ ପିଲାମାନେ ଏଠାରେ ବର୍ଷା ପାଣିରେ ଛତାଧରି ଶ୍ରେଣୀ ଗୃହ ଭିତରେ ଠିଆ ହୋଇ ପାଠ ପଢୁଛନ୍ତି । ଅଧିକ ପାଣି ହେଲେ ଗୋଡରେ ପାଣିକୁ ସଫା ବି କରୁଛନ୍ତି । ଆଉ ରେନକୋଟ ପିନ୍ଧି କଳା ପଟ୍ଟାରେ ଶିକ୍ଷକ ପଢାଉଛନ୍ତି ପାଠ । ଏପଟେ ଟିକିଏ ବର୍ଷା ହେଲେ ଯାନବାଇ, ଆର.ଏସ.ସି-୬, ନୂଆଗୁଡା, ଦୋରାଗୁଡା ଓ ଗୁଣ୍ଠାବେଡା ପ୍ରାଥମିକ ବିଦ୍ୟାଳୟର ଛାତରୁ ପାଣି ଗଳିବା ପରେ ପିଲାଙ୍କ ଅବସ୍ଥା ଏପରି ହୋଇଯାଏ । ପିଲାଏ ତଳେ ବସି ପାଠ ପଢି ପାରୁନଥିବା ବେଳେ ହାତରେ ଛତା ନେଇ ଏଭଳି ସ୍ଥିତିରେ ପାଠ ପଢନ୍ତି । ଏସବୁ ବିଦ୍ୟାଳୟର ଛାତର ଅବସ୍ଥା ନକହିବା ହିଁ ଭଲ। କେଉଁଠି ଲୁହା ଛଡ ବାହାରି ପଡିଛି ତ ଆଉ କେଉଁଠି ଝୁଲନ୍ତା ଅବସ୍ଥାରେ ରହିଛି ଛାତ । କେତେବେଳେ ଯେ ଏହା ପିଲାଙ୍କ ଉପରେ ଗଳି ପଡିବ ତାହା କହିବା ମୁଶକିଲ୍ । କେବଳ ଏହି ୪ଟି ବିଦ୍ୟାଳୟ ନୁହେଁ ସ୍ବାଭିମାନ ଅଞ୍ଚଳରେ ଅନେକ ବିଦ୍ୟାଳୟରେ ଏଭଳି ସମାନ ଚିତ୍ର ଦେଖିବାକୁ ମିଳିଛି । କେଉଁଠି ବିଦ୍ୟାଳୟର ଛପର ଉଡିଯାଇଛି ତ ଆଉ କେଉଁଠି କାନ୍ଥ ଭୁଶୁଡି ପଡିଛି, ହେଲେ ବର୍ଷ ବର୍ଷ ଧରି ଏହାର ମରାମତି ହୋଇନଥିବାରୁ ଅନେକ ଅଭିଭାବକ ଭୟରେ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଉ ନାହାଁନ୍ତି। ଏନେଇ ବିଦ୍ୟାଳୟ କମିଟି ବାରମ୍ବାର ପ୍ରଶାସନକୁ ଜଣାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ସରକାର ଶତ ପ୍ରତିଶତ ମାର୍କ କଥା କହୁଥିବା ବେଳେ ଏଭଳି ଅବସ୍ଥାରେ ପିଲାଏ ପାଶ୍ କରିବେ କେମିତି ବୋଲି ଶିକ୍ଷକ ଓଲଟା ପ୍ରଶ୍ନ କରିଛନ୍ତି ।
ତେବେ ଏହାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରି କହିଛନ୍ତି ଯେ, ନୂତନ ବିଦ୍ୟାଳୟ ନିର୍ମାଣ କରିବା ଲାଗି ପଞ୍ଚାୟତରାଜ ବିଭାଗକୁ ଜଣାଯାଇଛି। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସରକାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ସବୁ ସମସ୍ୟା ଦୂର ହୋଇଯିବ ବୋଲି କହି ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ସହ ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କରିଥିଲେ । ହେଲେ ଏଯାଏ ବଦଳିପାରି ନାହିଁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଚିତ୍ର ।
Related Stories
December 2, 2024