
ବାରିପଦା- ମୁଖ୍ୟମନ୍ତ୍ରୀ ନବୀନ ଜନସାଧାରଣଙ୍କୁ ଏକ ସ୍ୱଚ୍ଛ, ନିର୍ମଳ ଶାସନ ପ୍ରଦାନ ନିମନ୍ତେ ବିଭିନ୍ନ ପ୍ରକାର କୌଶଳ, ଯୋଜନା ଆପଣେଇବାରେ ଲାଗିଥିବା ଛନ୍ତି । ଏଥି ସହିତ ପ୍ରଶାସନକୁ ଲୋକାଭିମୁଖୀ ଓ କ୍ରିୟାଶୀଳ କରାଇବା ନିମନ୍ତେ ପୂର୍ବରୁ ୫ଟି ମନ୍ତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଶୁଣାଇଥିବା ବେଳେ ବର୍ତମାନ ପବିତ୍ର ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ କରିଛନ୍ତି ମୋ ସରକାର କାର୍ଯ୍ୟକ୍ରମ । ଏହି ସମୟରେ ଅକ୍ଟୋବର ୩ ବୁଧୁବାର ଅପରାହ୍ନରେ ଖୁଦ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କ ଚେୟାର ଖାଲି ପଡ଼ିଥିବା ବେଳେ ଟେବୁଲ ଉପରେ ଫାଇଲ ଗଦା ହୋଇପଡ଼ିଥିବା ବିଷୟକୁ ନେଇ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହାର ସତ୍ୟତା ପରଖିବା ନିମନ୍ତେ କାର୍ଯାଳୟରେ ଏକ ଘଂଟାରୁ ଅଧିକ ସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ କୌଣସି କର୍ମଚାରୀଙ୍କୁ ଯିବା ଆସିବା କରିବାର ଦେଖିବାକୁ ମିଳିନଥିଲା । ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସରକାରୀ କର୍ମଚାରୀମାନଙ୍କ ଏହି ପ୍ରକାରର ଅବସ୍ଥା ହୋଇଥିବା ବେଳେ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଅବସ୍ଥା କଣ ତାହା ଭାତହାଣ୍ଡିରୁ ଗୋଟାଏ ଭାତ ପରଖିବା ଭଳି ସ୍ପଷ୍ଟ ବାରି ହୋଇପଡ଼ୁଛି । ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କ ସ୍ୱେଚ୍ଛାଚାରୀ , ଦାୟିତ୍ୱହୀନ ଓ ଖାମଖିଆଲି ମନୋଭାବ କାରଣରୁ ସାଧାରଣ ଜନତାଙ୍କ କାର୍ଯ୍ୟ ଯଥା ସମୟରେ ହୋଇପାରୁନାହିଁ । ଫଳରେ ବାରମ୍ବାର କାର୍ଯ୍ୟାଳୟରେ ଚକ୍କର କାଟିବାକୁ ପଡ଼ୁଛି । କର୍ମଚାରୀମାନଙ୍କ ନିକଟରେ ସ୍ୱଚ୍ଛତା, ସମୟାନୁବର୍ତିତା ଆସ୍ତେ ଆସ୍ତେ ହଜି ଯିବାକୁ ବସିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଧରଣର କର୍ମଚାରୀ ମରୁଡ଼ି ଉପରେ ମତାମତ ଜାଣିବା ନିମନ୍ତେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସହ ଯୋଗାଯୋଗ ନିମନ୍ତେ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା ।