-
ସହାୟତା ପାଇଁ ସମାଜ ତରଫରୁ ଜିଲ୍ଲାପାଳଙ୍କୁ ପତ୍ର ।

ବେଲଗୁଣ୍ଠା-କରୋନା ମହାମାରୀ ସହ ସମାଜ ଏବଂ ପ୍ରଶାସନର ଅଘୋଷିତ ଯୁଦ୍ଧ ଜାରି ରହିଛି ।ଜନସାଧାରଣଙ୍କୁ ଏହି ବିପଦଜନକ ମହାମାରୀଠାରୁ ଦୁରେଇ ରଖିବା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ କଟକଣା ଜାରି କରାଯିବା ସହ ଚାଲିଛି ଲକ୍ ଡାଉନ ।ଗଞ୍ଜାମରେ କରୋନ ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିଥିବାରୁ ଜିଲ୍ଲାରେ ଲକ୍ ଡାଉନ ଓ ସଟ୍ ଡାଉନ ଜାରି ରହିଛି ।ଏଥିପାଇଁ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ଜୀବନଜିବିକା ପ୍ରଭାବିତ ହୋଇଛି ।ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ,ଶ୍ରମିକ ଓ ଖଟିଖିଆ ବର୍ଗର ଲୋକମାନେ ।ବେଲଗୁଣ୍ଠା ଅଞ୍ଚଳରେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ କଂସାରୀ ପରିବାର ବସବାସ କରନ୍ତି ।କଂସା, ପିତ୍ତଳ ବାସନକୁସନ ତଥା ବିଶ୍ୱ ପ୍ରସିଦ୍ଧ ପିତ୍ତଳ ମାଛ ପାଇଁ ବେଲଗୁଣ୍ଠାର ସ୍ୱତନ୍ତ୍ର ପରିଚୟ ଲାଭ କରିଛି ।ଏଥିପାଇଁ ବେଲଗୁଣ୍ଠା ଅଞ୍ଚଳରେ ରହୁଥିବା ତଥା ପିତ୍ତଳ ମାଛ ଓ ବାସନକୁସନ ତିଆରି କରୁଥିବା କଂସାରୀ ପରିବାରର ଭୁମିକା ଗୁରୁତ୍ୱପୂର୍ଣ୍ଣ ।କିନ୍ତୁ କରୋନା ଲକ୍ ଡାଉନ ଏହି ପରିବାର ଗୁଡିକରେ ଭାତହାଣ୍ଡି ଉପରେ ଲାତ ମାରିବା ସହ ପରିବାରର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ।ଏମାନେ ନିଜ ଘରେ ପିତ୍ତଳ ମାଛ,ପିତ୍ତଳ ଓ କଂସା ବାସନକୁସନ ତିଆରି କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ ।ଦେଶବିଦେଶୀରେ ପ୍ରସିଦ୍ଧି ଲାଭ କରିଥିବା ପିତ୍ତଳ ମାଛ କିଛି ରପ୍ତାନୀ ହେଉଥିବା ବେଳେ ବହୁତ ଗ୍ରାହକ ଶାଳକୁ ଆସି ମାଛ କିଣି ନେଉଥିଲେ ।କିନ୍ତୁ ବର୍ତ୍ତମାନ ଲକ୍ ଡାଉନ ପାଇଁ ପରିବହନ ଉପର ପ୍ରଶାସନର କଟକଣା ଥିବାରୁ କଞ୍ଚାମାଲ ଆମଦାନୀ ସମ୍ପୂର୍ଣ୍ଣ ରୁପେ ବନ୍ଦ ହେବା ସହ ନିର୍ମାଣ ଶାଳରେ ତାଲା ପଡାଯାଇଛି ।ରପ୍ତାନୀ ବନ୍ଦ ଏବଂ ସାମାଜିକ କାର୍ଯ୍ୟକ୍ରମ ବନ୍ଦ ଥିବାରୁ ଗ୍ରାହକ ମଧ୍ୟ ଆସୁନଥିବା ଜଣାପଡିଛି ।ତିଆରି ହୋଇସାରିଥିଲା ଜିନିଷ ମଧ୍ୟ ପଡିରହିଛି ।ଫଳରେ ଏହି ପରିବାର ଚଳାଇବା ଅତ୍ୟନ୍ତ କଷ୍ଟକର ହୋଇପଡିଛି ବୋଲି ଘୁମୁସର ତାଲୁକା କଂସାରୀ ସମାଜ ସଭାପତି ରାଜେନ୍ଦ୍ର କୁମାର ସାହୁ ପ୍ରକାଶ କରିଛନ୍ତି ।ଏ ନେଇ ସମାଜ ତରଫରୁ ସମସ୍ତ କଂସାରୀ ପରିବାରକୁ ସହାୟତା ପ୍ରଦାନ,କାରିଗରୀ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ପାଇଁ ବେଲଗୁଣ୍ଠା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବେଲଗୁଣ୍ଠା ବିଡ଼ିଓଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ପତ୍ର ପ୍ରେରଣ କରାଯାଇଛି ।ଏହାର ନକଲ ମଧ୍ୟ ଭଞ୍ଜନଗର ଉପଜିଲ୍ଲାପାଳ ଓ ବେଲଗୁଣ୍ଠା ତହସିଲଦାରଙ୍କୁ ମଧ୍ୟ ପ୍ରଦାନ କରାଯାଇଛି ।ତେଣୁ ଏହି ବିପତ୍ତି ସମୟରେ କଂସାରୀ ପରିବାର ବର୍ଗଙ୍କୁ ଏହି ଦୁର୍ଦ୍ଦିନରୁ ଉଦ୍ଧାର କରିବା ପାଇଁ ସମାଜ ତରଫରୁ ଅନୁରୋଧ କରାଯାଇଛି ।ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ବାଲାଜୀ ମହାରଣା,ବୃନ୍ଦାବନ ସାହୁ,ସିମାଞ୍ଚଳ ସାହୁ,ରବି ସାହୁଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO