-
ଲାଇଭ୍ ଡେମୋନଷ୍ଟ୍ରେସନ୍ରେ ମନ୍ତ୍ରମୁଗ୍ଧ ହେଲେ ଦର୍ଶକ, ପାଭିଲିୟନ୍ର ବିକ୍ରି ୧୪ ଲକ୍ଷ ଟଙ୍କା ଅତିକ୍ରମ
-
ଢୋକ୍ରା କଳା, ଡଙ୍ଗରିଆ କନ୍ଧ ଶାଲ୍, ହସ୍ତତନ୍ତ, ପଟ୍ଟଚିତ୍ର
-
ଓ ରୂପା ତାରକସି କାରିଗରୀର ପ୍ରତ୍ୟକ୍ଷ ପ୍ରଦର୍ଶନ କରୁଛନ୍ତି କାରିଗର
ନୂଆଦିଲ୍ଲୀ /ଭୁବନେଶ୍ୱର, ୪୫ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ଫେୟାର (IITF)-୨୦୨୬ରେ ଓଡ଼ିଶା ପାଭିଲିୟନ୍ ରେ ଜୀବନ୍ତ ରୂପ ନେଇଛି ଓଡ଼ିଶାର ସମୃଦ୍ଧ କଳାତ୍ମକ ଐତିହ୍ୟ । ଏଠାରେ ରାଜ୍ୟର ଦକ୍ଷ କାରିଗରମାନେ ଢୋକ୍ରା କଳା, ଡଙ୍ଗରିଆ କନ୍ଧ ଶାଲ୍, ହସ୍ତତନ୍ତ, ପଟ୍ଟଚିତ୍ର ଓ ରୂପା ତାରକସି କଳାର ପ୍ରତ୍ୟକ୍ଷ ପ୍ରଦର୍ଶନ କରୁଛନ୍ତି। ଏହି ପ୍ରଦର୍ଶନ ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଦର୍ଶକମାନେ ଓଡ଼ିଶାର ଉତ୍କୃଷ୍ଟ ପାରମ୍ପରିକ କଳା, କାରିଗରୀ କୌଶଳ ଏବଂ ପିଢ଼ି ପରେ ପିଢ଼ି ଧରି ପ୍ରଚଳିତ କଳା ପରମ୍ପରାକୁ ନିକଟରୁ ଦେଖିବା ଓ ବୁଝିବାର ସୁଯୋଗ ପାଉଛନ୍ତି।
ଏହି ପ୍ରତ୍ୟକ୍ଷ ପ୍ରଦର୍ଶନଗୁଡ଼ିକ ପାରମ୍ପରିକ ହସ୍ତଶିଳ୍ପ ନିର୍ମାଣର ସ୍ୱତନ୍ତ୍ର କୌଶଳ ଏବଂ ପିଢ଼ି ପରେ ପିଢ଼ି ହସ୍ତାନ୍ତରିତ ହୋଇଆସୁଥିବା ଜ୍ଞାନର ଝଲକ ପ୍ରଦାନ କରୁଛି। ଢୋକ୍ରା କଳାର ଜଟିଳ ଧାତୁ ଢଳେଇ ପ୍ରକ୍ରିୟା, ସ୍ୱତନ୍ତ୍ର ଡଙ୍ଗରିଆ କନ୍ଧ ଶାଲ୍ର ସୂକ୍ଷ୍ମ ବୁଣାକାର୍ଯ୍ୟ, ପଟ୍ଟଚିତ୍ରରେ ରଙ୍ଗ ଓ ଚିତ୍ର ମାଧ୍ୟମରେ ଜୀବନ୍ତ ହେଉଥିବା କାହାଣୀ, ରୂପା ତାରକସିର ନିଖୁଣ କାରିଗରୀ ଏବଂ ହସ୍ତତନ୍ତ ବୁଣାକାର୍ଯ୍ୟର ପାରମ୍ପରିକ ପ୍ରକ୍ରିୟାର ପ୍ରତ୍ୟେକ ପ୍ରଦର୍ଶନ ଓଡ଼ିଶାର କଳାତ୍ମକ ବିବିଧତା ଓ ଶିଳ୍ପ ଉତ୍କର୍ଷକୁ ପ୍ରତିଫଳିତ କରୁଛି। ଏହି କଳାଗୁଡ଼ିକର ସୃଷ୍ଟି ପ୍ରକ୍ରିୟାକୁ ସିଧାସଳଖ ଦେଖି ଦର୍ଶକମାନେ କେବଳ ପ୍ରସ୍ତୁତ ସାମଗ୍ରୀର ସୌନ୍ଦର୍ଯ୍ୟ ନୁହେଁ, ବରଂ ଏହା ପଛରେ ରହିଥିବା କୌଶଳ, ଧୈର୍ଯ୍ୟ, ନିଷ୍ଠା ଓ ସାଂସ୍କୃତିକ ମହତ୍ତ୍ୱକୁ ମଧ୍ୟ ଅନୁଭବ କରିପାରୁଛନ୍ତି।
ଏହି ପ୍ରଦର୍ଶନଗୁଡ଼ିକୁ ଦେଖିବା ପାଇଁ ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାରେ ଦର୍ଶକ ଓ କଳାପ୍ରେମୀ ପହଞ୍ଚୁଛନ୍ତି। ସେମାନେ କାରିଗରମାନଙ୍କ ସହ ଆଲୋଚନା କରି ପାରମ୍ପରିକ କୌଶଳ ସମ୍ପର୍କରେ ଜାଣିବା ସହ ସେମାନଙ୍କ କାରିଗରୀର ଉଚ୍ଚ ପ୍ରଶଂସା କରୁଛନ୍ତି। ଏହି ପ୍ରଦର୍ଶନ ହସ୍ତନିର୍ମିତ ସାମଗ୍ରୀଗୁଡ଼ିକୁ ଦେଖିବା ଓ କିଣିବା ପାଇଁ ମଧ୍ୟ ଦର୍ଶକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ାଉଛି। ଏହି ପଦକ୍ଷେପ ପାରମ୍ପରିକ ହସ୍ତଶିଳ୍ପକୁ ସମସାମୟିକ ଦର୍ଶକଙ୍କ ସହ ଯୋଡ଼ିବା ସହ ଓଡ଼ିଶାର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରଚାରକୁ ମଧ୍ୟ ପ୍ରୋତ୍ସାହିତ କରୁଛି।
ଓଡ଼ିଶା ପାଭିଲିୟନ୍କୁ ମିଳୁଥିବା ଉତ୍ସାହଜନକ ପ୍ରତିକ୍ରିୟା ମଧ୍ୟରେ ସମସ୍ତ ଅଂଶଗ୍ରହଣକାରୀ ଷ୍ଟଲ୍ର ମୋଟ ବିକ୍ରି ୧୪ ଲକ୍ଷ ଟଙ୍କା ଅତିକ୍ରମ କରିଛି। ବିଭିନ୍ନ ବିଭାଗ, ସଂସ୍ଥା, ସମବାୟ ସମିତି, ଉତ୍ପାଦକ ଗୋଷ୍ଠୀ, କାରିଗର ଓ ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ସାମଗ୍ରୀ ସହ ହସ୍ତତନ୍ତ, ହସ୍ତଶିଳ୍ପ, କୃଷିଜାତ ଦ୍ରବ୍ୟ, ଜନଜାତି ଉତ୍ପାଦ, ଦୁଗ୍ଧଜାତ ଦ୍ରବ୍ୟ ତଥା ଅନ୍ୟାନ୍ୟ ପାରମ୍ପରିକ ଓ ମୂଲ୍ୟବର୍ଦ୍ଧିତ ସାମଗ୍ରୀ ପ୍ରତି ଦର୍ଶକଙ୍କ ବଢ଼ୁଥିବା ଆଗ୍ରହ ଏହି ସଫଳତାରେ ପ୍ରତିଫଳିତ ହୋଇଛି।
ରାଜ୍ୟର ସମୃଦ୍ଧ ଐତିହ୍ୟ, ପାରମ୍ପରିକ କାରିଗରୀ ଏବଂ ଉଦୀୟମାନ ଆର୍ଥିକ ସମ୍ଭାବନାର ବିଷୟଭିତ୍ତିକ ଉପସ୍ଥାପନା ପାଇଁ ଓଡ଼ିଶା ପାଭିଲିୟନ୍କୁ ନିରନ୍ତର ପ୍ରଶଂସା ମିଳୁଛି। ପ୍ରତ୍ୟକ୍ଷ ହସ୍ତଶିଳ୍ପ ପ୍ରଦର୍ଶନ ସହିତ ଏଠାରେ ହସ୍ତତନ୍ତ, ହସ୍ତଶିଳ୍ପ, ଜିଆଇ ଟ୍ୟାଗ୍ପ୍ରାପ୍ତ ଉତ୍ପାଦ, କୃଷିଜାତ ଦ୍ରବ୍ୟ, ଜନଜାତି କଳା, ଜଙ୍ଗଲଜାତ ଦ୍ରବ୍ୟ, ଗ୍ରାମୀଣ ଉଦ୍ୟୋଗ ଓ ପର୍ଯ୍ୟଟନ ସମ୍ପର୍କିତ ବିଭିନ୍ନ ସାମଗ୍ରୀ ମଧ୍ୟ ପ୍ରଦର୍ଶିତ ହେଉଛି। IITF-୨୦୨୬ରେ ଅଂଶଗ୍ରହଣ ମାଧ୍ୟମରେ ଓଡ଼ିଶା ନିଜର କାରିଗର ଓ ପାରମ୍ପରିକ ଜ୍ଞାନ ପରମ୍ପରାକୁ ଏକ ଜାତୀୟ ମଞ୍ଚ ପ୍ରଦାନ କରିବା ସହ ସେମାନଙ୍କ ପାଇଁ ବ୍ୟାପକ ପରିଚିତି, ବଜାର ସଂଯୋଗ ଏବଂ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି ଦିଗରେ ପ୍ରୟାସ କରୁଛି। ଓଡ଼ିଶା ପାଭିଲିୟନ୍ ୨୭ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ସ୍ଥିତ ହଲ୍-୩ରେ ଦର୍ଶକଙ୍କ ପାଇଁ ଖୋଲା ରହିବ।
