

ଭୁବନେଶ୍ୱର – ବିଜେପୁର ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ସେପ୍ଟେମ୍ବର ୩୦ ତାରିଖ (ସୋମବାର)ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ଅକ୍ଟୋବର ୧ (ମଙ୍ଗଳବାର)ରେ ପ୍ରାର୍ଥୀପତ୍ର ଯାଂଚ କରାଯିବ । ୩ ତାରିଖ (ଗୁରୁବାର)ସୁଦ୍ଧା ପ୍ରାର୍ଥୀ ମାନେ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଅକ୍ଟୋବର ୨୧ (ସୋମବାର)ତାରିଖରେ ଉପ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ ଏବଂ ୨୩ ତାରିଖରେ ଭୋଟ୍ ଗଣତି ହେବ । ୨୧ ତାରିଖ ସକାଳ ୭ ଟାରୁ ଅପରାହ୍ନ ୫ ଟା ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ । ଅକ୍ଟୋବର ୨୭ ତାରିଖ (ରବିବାର)ରେ ନିର୍ବାଚନର ସମସ୍ତ ପ୍ରକ୍ରି୍ରୟା ଶେଷ ହେବ । ଆସନ୍ତା ବିଜେପୁର ଉପନିର୍ବାଚନରେ ୨୮୫ ଗୋଟି ବୁଥ୍ରେ ୨,୩୨,୦୦୫ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧,୧୯ ,୯୧୬ ଜଣ ପୁରୁଷ ଭୋଟର, ୧ ,୧୨ ,୦୭୪ ଜଣ ମହିଳା ଭୋଟର ଓ ୧୫ ଜଣ ତୃତୀୟ ଲିଙ୍ଗ ଭୋଟର ମତଦାନ କରିବେ ।
ସୂଚନାଯୋଗ୍ୟ ଯେ ୨୦୧୯ ସାଧାରଣ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ସହିତ ବରଗଡ଼ର ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଉଭୟ ଆସନରୁ ଜିତିବା ପରେ ସେ ବିଜେପୁର ଆସନ ଛାଡ଼ି ଦେଇଥିଲେ । ବିଜେଡି ଚଳିତ ଥର ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ଏଠାରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି ।