ନୂଆଦିଲ୍ଲୀ– ଶାହିନବାଗକୁ ଖାଲି କରିବା ପାଇଁ ଆନ୍ଦୋଳନ କରାଯିବ ବୋଲି ହିନ୍ଦୁ ସେନା ପକ୍ଷରୁ ଘୋଷଣା କରା ଯିବା ପରେ ରବିବାର ଦିନ ଶାହିନ୍ ବାଗରେ ଥିବା ଆନ୍ଦୋଳନ ସ୍ଥଳକୁ ଛାଉଣୀରେ ପରିବର୍ତିତ କରିଦିଆ ଯାଇଛି । ସେଠାରେ ବିପୁଳ ସଂଖ୍ୟାରେ ସୁରକ୍ଷା ବଳ ମୁତୟନ କରାଯାଇଛି। ଏହା ବ୍ୟତୀତ ବିକ୍ଷୋଭକାରୀଙ୍କୁ ଧାରଣା ସ୍ଥଳରୁ ଉଠିବାକୁ ମଧ୍ୟ ପୋଲିସ ନିବେଦନ କରିଛି। ସମଗ୍ର ଅଞ୍ଚଳରେ ଧାରା 144 ଲାଗୁ କରାଯାଇଛି | ରବିବାର ଦିନ ନାଗରିକତ୍ୱ ସଂଶୋଧନ ଅଧିନିୟମ ସିଏଏ ବିରୋଧରେ ଚାଲିଥିବା ବିରୋଧର ଅନ୍ତ ଘଟାଇବ ବୋଲି ହିନ୍ଦୁ ସେନା ଘୋଷଣା କରିଛି।
ହିନ୍ଦୁ ସେନାର ବିଷ୍ଣୁ ଗୁପ୍ତା ଟ୍ୱିଟ୍ କରି କହିଛନ୍ତି ଯେ ଶାହିନ୍ ବାଗରେ ସିଏଏ ବିରୋଧୀ ପ୍ରଦର୍ଶନକାରୀଙ୍କୁ ହଟାଇବାରେ ଦିଲ୍ଲୀ ପୋଲିସ ବିଫଳ ହୋଇଛି। ଭାରତର ସମ୍ବିଧାନର ଧାରା 14, 19, 21 ଅନୁଯାୟୀ ସାଧାରଣ ଲୋକଙ୍କ ମୌଳିକ ଅଧିକାରର ସେଠାରେ ଉଲ୍ଲଂଘନ କରାଯାଉଛି। ତେଣୁ ହିନ୍ଦୁ ସେନା ସେଠାରେ ଯାଇ ଆନ୍ଦୋଳନ କରିବ ବୋଲି କହିଛି ।
ଯୁଗ୍ମ କମିଶନର ଡି.ସି. ଶ୍ରୀବାସ୍ତବ କହିଛନ୍ତି ଯେ ସତର୍କତାମୂଳକ ଭାବେ ସମସ୍ତ ବ୍ୟବସ୍ଥା କରାଯାଇଛି । ଲୋକଙ୍କ ମଧ୍ୟରେ ଶାନ୍ତି ଏବଂ ନିରାପତ୍ତା ଭାବନା ବଜାୟ ରଖିବାକୁ ଆମେ ପ୍ରୟାସ କରୁଛୁ ବୋଲି ସେ କହିଛନ୍ତି ।