-
କିନ୍ତୁ ବିରୋଧୀଙ୍କ ଲକ୍ଷ୍ୟ ଆଲୋଚନା କରିବା ନୁହେଁ ବରଂ ହଙ୍ଗାମା କରିବା ।
-
ମୁଁ ବିରୋଧୀଙ୍କ ପ୍ରତ୍ୟେକ ପ୍ରଶ୍ନର ଉତର ଦେବାକୁ ପ୍ରସ୍ତୁତ : ଶ୍ରୀ ଅମିତ ଶାହ
-
ସାଧାରଣ ଜନତା ଜାଣିବା ଦରକାର ଯେ, ସମସ୍ତ ପ୍ରସଙ୍ଗ ଉପରେ କିଏ ଆଲୋଚନା କରିବାକୁ ଚାହୁଁଛି ଏବଂ କିଏ ପଳାୟନ କରୁଛି ?
ନୂଆ ଦିଲ୍ଲୀ,କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ସ୍ପଷ୍ଟ କରିଛନ୍ତି ଯେ, ମୋଦି ସରକାର ସଂସଦରେ ସମସ୍ତ ପ୍ରକାରର ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସେ ସଂସଦରେ ସମସ୍ତ ପ୍ରଶ୍ନର ଉତର ଦେବାକୁ ପ୍ରସ୍ତୁତ କିନ୍ତୁ ବିରୋଧୀ ଦଳ କୌଣସି ଆଲୋଚନା କରିବାକୁ ଚାହୁଁନାହାଁନ୍ତି । ମୋଦୀଙ୍କ ନେତୃତ୍ୱରେ ବିଜେପି ଏବଂ ଏନଡିଏ ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ, ବିରୋଧୀ କେବଳ ସଂସଦ ଚାଲିବାକୁ ଦିଅନ୍ତୁ ।
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ବିରୋଧୀ ଦଳକୁ ଏକ ସ୍ପଷ୍ଟ ପ୍ରସ୍ତାବ ଦେଇ କହିଛନ୍ତି ଯେ, ବିରୋଧୀ ଦଳ ଆଜି ଅପରାହ୍ନ ୨ଟା ସୁଦ୍ଧା ଲୋକସଭା ବାଚସ୍ପତିଙ୍କୁ ଏକ ଲିଖିତ ଚିଠି ଦାଖଲ କରି ଆଲୋଚନା ପାଇଁ ଅନୁରୋଧ କରିବା ଉଚିତ । ସମସ୍ତ ପ୍ରସଙ୍ଗରେ ଆଲୋଚନା ଆଜି ଅପରାହ୍ନ ୩ଟାରୁ ଆରମ୍ଭ ହେବ ଏବଂ ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ବାଚସ୍ପତି ଅନୁମତି ଦିଅନ୍ତି ତେବେ ସରକାର ପ୍ରଶ୍ନକାଳକୁ ସ୍ଥଗିତ ରଖିବାକୁ ମଧ୍ୟ ପ୍ରସ୍ତୁତ, ଯାହା ଦ୍ୱାରା ଆଜି ଅପରାହ୍ନ ୩ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏବଂ ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏକ ବିସ୍ତୃତ ଆଲୋଚନା ହୋଇପାରିବ ।
ଶ୍ରୀ ଅମିତ ଶାହ କହିଛନ୍ତି ଯେ, “ମୁଁ ବ୍ୟକ୍ତିଗତ ଭାବରେ ଗୃହରେ ବସିବି, ସମସ୍ତଙ୍କ କଥା ଶୁଣିବି, ସବୁକିଛି ଲେଖିବି, ଏବଂ ଆସନ୍ତାକାଲି ଅପରାହ୍ନ ୩ଟାରେ ବିରୋଧୀଙ୍କ ପ୍ରତ୍ୟେକ ପ୍ରଶ୍ନର ଉତର ଦେବି । ସେ କହିଛନ୍ତି ଯେ ସରକାରଙ୍କ ପାଖରେ ଲୁଚାଇବା ପାଇଁ କିଛି ନାହିଁ । ଆଲୋଚନା କରିବା ଦ୍ୱାରା ଦେଶର ଜନତାଙ୍କ ପାଖରେ ସବୁକିଛି ସ୍ପଷ୍ଟ ହୋଇଯିବ । ଏହାଦ୍ୱାରା ଦୁଧ୍ କା ଦୁଧ୍ ଓ ପାନିକା ପାନି ହୋଇଯିବ ।
ବିରୋଧୀଙ୍କ ଦାବିର ଉତର ଦେଇ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, “କେହି ଜଣେ ମୋତେ ବିବୃତି ଦେବାକୁ କହୁଛନ୍ତି, କିନ୍ତୁ ଏତେ ଗମ୍ଭୀର ପ୍ରସଙ୍ଗ ଉପରେ ଏହିଭଳି ଆଲୋଚନା କରାଯାଇପାରିବ ନାହିଁ । ସଂସଦରେ ଆଲୋଚନା ପାଇଁ ପ୍ରତିଷ୍ଠିତ ନିୟମ ଏବଂ ପ୍ରକ୍ରିୟା ଅଛି । ସଂସଦୀୟ ପ୍ରକ୍ରିୟା ପାଇଁ ବିସ୍ତୃତ ଆଲୋଚନା ଆବଶ୍ୟକ ଏବଂ ସଂସଦୀୟ ପରମ୍ପରା ଅନୁଯାୟୀ ହିଁ ବିବୃତି ଦିଆଯିବ ।
ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଅଧିବେଶନ ଆରମ୍ଭ ହେବା ପରଠାରୁ ସେ ନିୟମିତ ଭାବରେ ସଂସଦରେ ଯୋଗ ଦେଉଛନ୍ତି, କିନ୍ତୁ ବିରୋଧୀ ଦଳ ଏହାକୁ ଉଭୟ ଗୃହରେ କାର୍ଯ୍ୟ କରିବାରୁ ବାଧା ଦେଉଛନ୍ତି । ଆହୁରି ସେ କହିଛନ୍ତି ଯେ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିସାରିଛନ୍ତି ଯେ, ସରକାର ସମସ୍ତ ପ୍ରକାରର ଆଲୋଚନା ପାଇଁ ପ୍ରସ୍ତୁତ ଏବଂ ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରାଯିବା ଉଚିତ ଓ ବିରୋଧୀ ଦଳ ପ୍ରସ୍ତୁତ ରହିବା ଉଚିତ । ବିରୋଧୀ ଦଳ ପୂର୍ବରୁ ଏହା ଦାବି କରିଆସୁଥିଲେ ଏବଂ ସରକାର ଏବେ ଏଥିରେ ରାଜି ହୋଇଛନ୍ତି ।
ଶେଷରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଜୀ କହିଛନ୍ତି ଯେ, ଏବେ ବିରୋଧୀ ଦଳକୁ ନିଷ୍ପତି ନେବାକୁ ପଡିବ ଯେ, ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି ନା ହଙ୍ଗାମା କରିବାକୁ ଚାହୁଁଛନ୍ତି ଏବଂ ଜନତା ନିଷ୍ପତି ନେବେ ଯେ, କିଏ ଆଲୋଚନା କରିବାକୁ ଚାହୁଁଛି ଏବଂ କିଏ ପଳାୟନ କରୁଛି ।
