ଭଦ୍ରକ– ଗତକାଲି ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଗଣିଜଙ୍ଗ ହାସିନପୁରରେ ବନ୍ଧୁକ ମୁନରେ ଏକ ବଡ଼ ଧରଣର ଡକାୟତି ହୋଇଛି। ଏହି ଡକାୟତିରେ ବନ୍ଧୁକ ଧାରୀ ପ୍ରାୟ କୋଟିଏରୁ ଊର୍ଦ୍ଧ୍ଵ ମୂଲ୍ୟର ସୁନା ଗହଣା ସମେତ ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ହାସିନପୁର ନିବାସୀ ପଞ୍ଚାନନ ପ୍ରଧାନଙ୍କ ପୁତ୍ର ପ୍ରୀତି ପ୍ରକାଶ ପ୍ରଧାନ ଗ୍ରାମାଞ୍ଚଳ ଥାନାରେ ଦେଇଥିବା ଏତଲା ମୂଳେ ଗତକାଲି ରାତିରେ ସେ ନିଜ ମା, ଭଉଣୀ ଓ ପତ୍ନୀଙ୍କ ସହ ରାତି ପ୍ରାୟ ୮ଟା ୪୫ ସମୟରେ ଘରେ ଥିବାବେଳେ ବାହାର ଗେଟ ପାଖରେ କେହି ଡାକିବାରୁ ସେ ଯିବାରୁ ମୁହଁରେ କଳା ମାସ୍କ ପିନ୍ଧିଥିବା ୮ ଜଣ ଦୁର୍ବୁତ ବନ୍ଧୁକ ଓ ଭୁଜାଲି ଦେଖାଇ ଘର ଭିତରକୁ ନେଇ ଗୋଟିଏ ଘରେ ଭର୍ତି କରି ଦେଇଥିଲେ। ଏବଂ ତାଙ୍କୁ ଭୟଭୀତ କରାଇ ଉପର ମହଲାରେ ଥିବା ଲକରରୁ ପ୍ରାୟ ୯୦ ଲକ୍ଷରୁ ଉର୍ଦ୍ଧ ସୁନା ଗହଣା ଓ ନଗଦ ୧୨ ଲକ୍ଷ ଟଙ୍କା ନେଇ ବାହାର ପଟୁ ଲକ୍ କରି ଫେରାର ହୋଇଯାଇଥିଲେ। ପରେ ସେମାନେ କବାଟ ଭାଙ୍ଗି ବାହାରକୁ ବାହାରି ସମସ୍ତ ବିଷୟ ଜାଣିବାକୁ ପାଇ ଫୋନ ଯୋଗେ ପୋଲିସକୁ ଜଣାଇଥିଲେ। ଏବଂ ଥାନାରେ ଏତଲା ଦେଇଥିଲେ। ଡକାୟତ ମାନେ ସେମାନଙ୍କ ଘରେ ଲାଗିଥିବା ସି ସି ଟିଭି କ୍ୟାମେରାର ହାର୍ଡ ଡିସ୍କ ଭାଙ୍ଗି ନେଇଯାଇଥିବାର ଜଣାପଡିଛି। ଏହି ଘଟଣାରେ ଏସପି ମନୋଜ ରାଉତ ଜିଲ୍ଲା ଓ ପାଖ ଜିଲ୍ଲାର ବିଭିନ୍ନ ଥାନାକୁ ସୂଚନା ଦେବାସହ ଥାନାଧିକାରୀ ସୁବ୍ରତ ଦାସଙ୍କ ସମେତ ଅନ୍ୟ ପଦାଧିକାରୀଙ୍କୁ ଦୁର୍ବୃତ୍ତଙ୍କ ସନ୍ଧାନ ନେଉଥିବାର ଜଣାଯାଇଛି। ପୋଲିସ ରାସ୍ତା ପାଖ ଦୋକାନ ଓ ବିଭିନ୍ନ ଘରେ ଲାଗିଥିବା ସି ସି ଟିଭି ରୁ ଏକ ଲାଲ ରଙ୍ଗର କାର ସହ ଦୁଇଟି ଚାରି ଚକିଆ ଯାନରେ ଡକାୟତ ମାନେ ଭଦ୍ରକ- ଆନନ୍ଦପୁର ରାସ୍ତାରେ କେନ୍ଦୁଝର ଜିଲ୍ଲାକୁ ଖସି ଯାଇଥିବାର ଅନୁମାନ କରିଛି।
ଏଠାରେ ସୂଚନାଯୋଗ୍ୟ, ବିଶିଷ୍ଟ ଯୁବ ବ୍ୟବସାୟୀ ପ୍ରୀତି ପ୍ରକାଶଙ୍କର ନିକଟରେ ବିବାହ ହୋଇଥିବାରୁ ଡକାୟତିରେ ସ୍ଥାନୀୟ ଅପରାଧୀଙ୍କର ସମ୍ପୃକ୍ତି ରହିଥିବାର ସନ୍ଦେହ କରାଯାଉଛି। ବିଶେଷ କରି ଡକାୟତି ହୋଇଥିବା ଘରଟି ଜନ ବସତି ଠାରୁ ବାହାରେ ହୋଇଥିବାରୁ ଏଭଳି ଅପରାଧ ଘଟାଇବାରେ ଦୁର୍ବୃତ୍ତଙ୍କୁ ସହଜ ହୋଇଥିଲା।
