ଭୁବନେଶ୍ୱର– ଭୋଟର ତାଲିକାର ସଠିକତା ଓ ସଂଶୋଧନ ନିମନ୍ତେ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ଏହି ପରିପ୍ରେକ୍ଷୀରେ ସର୍ବସାଧାରଣଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଜେପି ତରଫରୁ ମାରୱାଡ଼ି ଧର୍ମଶାଳା, ପଦ୍ମପୁର ଠାରେ ପଦ୍ମପୁର ବିଧାନସଭା ସ୍ତରୀୟ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କର୍ମଶାଳା ଆୟୋଜିତ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ସହ ଯୋଗଦେଇ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଏହି କର୍ମଶାଳାରେ ଉପସ୍ଥିତ ସମସ୍ତ ବୁଥ୍ ସ୍ତରୀୟ ଏଜେଂଟ (ବିଏଲଏ-୨) ମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଭୋଟର ତାଲିକାରୁ ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା, ନୂତନ ଭୋଟରଙ୍କ ନାମ ସାମିଲ କରିବା ଏବଂ ତ୍ରୁଟି ସଂଶୋଧନ ପ୍ରକ୍ରିୟାକୁ କିପରି ସୁଗମ ଓ ସ୍ୱଚ୍ଛ କରାଯାଇପାରିବ, ସେ ନେଇ ସମସ୍ତଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଡା. ଅରୁପାନନ୍ଦ ସାହୁ, ସ୍ୱତନ୍ତ୍ର ବିକାଶ ପରିଷଦ ଚେୟାରମ୍ୟାନ ଗୋବର୍ଦ୍ଧନ ଭୁଏ ଏବଂ ଦଳର ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ।
