ଚଣ୍ଡିଗଡ– ପଞ୍ଜାବର ବଠିଣ୍ଡାରେ ଶନିବାର ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ପୋଲିସ କର୍ମଚାରୀ ସହିତ ପାଞ୍ଚଜଣଙ୍କ ମୃତ୍ୟୁ ଘଟିଛି। ସକାଳେ ଘନ କୁହୁଡ଼ି ଥିବାରୁ ଏହି ଦୁର୍ଘଟଣା ଘଟିଥିଲା।
ବଠିଣ୍ଡା ସହରର ପୋଲିସ ଅଧୀକ୍ଷକ ନରିନ୍ଦର ସିଂହ କହିଛନ୍ତି ଯେ, ପକେଟ୍ରେ ମିଳିଥିବା ଆଧାର କାର୍ଡ ଓ ଅନ୍ୟାନ୍ୟ ପରିଚୟ ପତ୍ର ଆଧାରରେ ମୃତକମାନଙ୍କ ପରିଚୟ ଗୁଜରାଟର ବନାସକାଠା ନିବାସୀ ଅର୍ଜୁନ, ସତୀଶ, ଜନକ, ଭାରତ ଏବଂ ଅମିତା ବାନ ଭାବେ ହୋଇଛି। ସମସ୍ତେ ଗୁଜରାଟରୁ ବୁଲିବା ପାଇଁ ଶିମଲା ଯାଇଥିଲେ। ଫେରିବା ବେଳେ ସେମାନେ ବଠିଣ୍ଡାରେ ରହିଥିଲେ। ଆଜି ସକାଳେ ସେମାନେ ଡବୱାଲି ଦିଗକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘନ କୁହୁଡ଼ି କାରଣରୁ ଡ୍ରାଇଭର ନିୟନ୍ତ୍ରଣ ହାରାଇ ଗାଡ଼ିଟି ଡିଭାଇଡର ସହ ଧକ୍କା ଖାଇଥିଲା।
ପୋଲିସ ଅନୁସାରେ ଅମିତା ଗୁଜରାଟ ପୋଲିସରେ କନଷ୍ଟେବଳ ପଦରେ କାର୍ଯ୍ୟରତ ଥିଲେ। ପୋଲିସ କହିଛି ଯେ ମୃତକମାନଙ୍କ ପରିବାରସଦସ୍ୟଙ୍କୁ ସୂଚିତ କରାଯାଇଛି।
