କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡ୍ ୱାଇଡ୍ ଦ୍ଵାରା ପୁରୀ ମ୍ୟୁନିସପାଲଟି ଟାଉନ ହଲଠାରେ ତିନିଦିନ ବ୍ୟାପୀ ଚାଲୁଥିବା ତୃତୀୟ ଶ୍ରୀଜଗନ୍ନାଥ ବିଶ୍ଵ ଆଧ୍ୟାତ୍ମିକ ସମାବେଶର ଦ୍ଵିତୀୟ ଦିନ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନର ବିଷୟବସ୍ତୁ ଥିଲା ବିଶ୍ବରେ “ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାପୂଜାରେ ଐକ୍ୟ ସ୍ଥାପନ” । ଏଥିରେ ସୁବୋଧ କୃଷ୍ଣ ମିଶନର ଅଧ୍ୟକ୍ଷ ସ୍ବାମୀ କୃଷ୍ଣପ୍ରେମାନନ୍ଦ ସରସ୍ୱତୀ ଅଧ୍ୟକ୍ଷତା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ସନାତନ ସଂସ୍କୃତିର ପୁନରୁତଥାନ କିପରି ହେବ ସେ ବିଷୟରେ ଆଲୋଚନା କରିଥିଲେ । ଏହି ଅଧିବେଶନରେ ପୁରାତନ ସମୟରୁ ବିବର୍ତିତ ପୂଜା ପରମ୍ପରା ତଥା ସ୍କନ୍ଦ ପୁରାଣ ଆଧାରରେ ପୂଜା ଏବଂ ଶ୍ରୀକ୍ଷେତ୍ର ହିଁ ଏକମାତ୍ର ଜଗନ୍ନାଥ ଧାମ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ତାଙ୍କ ସହିତ ଆଲୋଚନାରେ ଭାଗ ନେଇଥିଲେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଗବେଷକ ଡ ଭାସ୍କର ମିଶ୍ର, ରାଧାବଲ୍ଲଭ ମଠର ମହନ୍ତ ପୂଜ୍ୟ ରାମକୃଷ୍ଣ ଦାସ ମହାରାଜ, ଶ୍ରୀମନ୍ଦିର ପୂଜାପଣ୍ଡା ସେବକ ସାମନ୍ତ ମାଧବ ଚନ୍ଦ୍ର ପୂଜାପଣ୍ଡା, ଭାଗବତ ଆଶ୍ରମର ଅଧ୍ୟକ୍ଷ ପୂଜ୍ୟ ବାବା ବ୍ରଜବନ୍ଧୁ ଦାସ ମହାରାଜ । ଏହା ସହିତ ଓସାନ, ନାଇଜେରିଆର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ଦାସ ଓ ମିଆଁମାର ଓଡିଆ ଆସୋସିଏସନର ଶ୍ରୀମତୀ ସାରିକା ଚତୁର୍ବଦି । ନିଜ ନିଜ ଦେଶର ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ କିପରି ସେବାପୂଜା କରାଯାଏ ସେହି ଉପରେ ଆଲୋକପାତ କରିଥିଲେ । ସଭାର ଦ୍ଵିତୀୟ ଅଧିବେଶନରେ ଶ୍ରୀ ଜଗନ୍ନାଥ ଧାମ ନାମକରଣ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ସ୍ଵାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ଵତୀ । ଏହା ସହିତ ଆଲୋଚନାରେ ଭାଗ ନେଇଥିଲେ ଆଇଭରୀ କୋଷ୍ଟର ଶ୍ରୀ ବିଭୁଜା ନନ୍ଦନ ମହାନ୍ତି, ସ୍ଵିଡେନର ଶ୍ରୀ ଆଦିତ୍ୟ କୁମାର ପରିଡା ଓ ଅଷ୍ଟ୍ରେଲିଆର ଦୁର୍ଗା ପ୍ରସନ୍ନ ରାଉତରାୟ। ଭଜନ ଗୁରୁ ଶ୍ରୀ ନଳିନୀକାନ୍ତ ନାୟକଙ୍କ ସହିତ ତାଙ୍କ ଭଜନ ମଣ୍ଡଳୀର ସହଯୋଗୀମାନଙ୍କର ସୁମଧୁର ଶ୍ରୀ ଜଗନ୍ନାଥଙ୍କ ଭଜନ ଶ୍ରୋତାମାନଙ୍କ ମନ କିଣି ନେଇଥିଲା । ଆସନ୍ତା ଦିନରେ ସମାବେଶର ଶେଷ ଦିବସରେ ଗଜପତି ମହାରାଜା ନିଜର ଆଶୀର୍ବଚନ ରଖିବେ ବୋଲି ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଛି ।
