![](https://indokalingtimes.com/wp-content/uploads/2024/12/WhatsApp-Image-2024-12-13-at-20.02.18-1024x884.jpeg)
ଭୁବନେଶ୍ବର,ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ‘ଜାତୀୟ ପଞ୍ଚାୟତ ପୁରସ୍କାର ଗ୍ରହଣ କରିଥିବା ସମସ୍ତ ଅଧିକାରୀ ଓ ସଦସ୍ୟବୃନ୍ଦଙ୍କୁ ଆଜି ମାନ୍ୟବର ପଞ୍ଚାୟତିରାଜ ଏବଂ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ସମ୍ବର୍ଦ୍ଧିତ କରିଛନ୍ତି l ଏହି ଅବସରରେ ସେ ଏହାକୁ ସମଗ୍ର ରାଜ୍ୟ ପାଇଁ ଏକ ପ୍ରେରଣାର ବିଷୟ ବୋଲି ଅଭିହିତ କରିବା ସହ ବିକଶିତ ଓଡ଼ିଶା ଗଠନର ମୂଳଦୁଆ ବୋଲି ମତପ୍ରକାଶ କରିଛନ୍ତି l
ଭୁବନେଶ୍ବରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ବଳରାମ ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଜାତୀୟ ପଞ୍ଚାୟତ ପୁରସ୍କାର-2024ର ବିଜେତା ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି l ଏହି ଅବସରରେ ମାନ୍ୟବର ମନ୍ତ୍ରୀ ବିଜେତା ମାନଙ୍କୁ ସମ୍ବୋଧିତ କରି ସେମାନଙ୍କ ପ୍ରଚେଷ୍ଟା ଯୋଗୁଁ ସମଗ୍ର ରାଜ୍ୟ ଗର୍ବିତ ବୋଲି ପ୍ରକାଶ କରିବା ସହ ଏହା ତ୍ରି-ସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାର ଅନ୍ୟ ଅନୁଷ୍ଠାନ ଗୁଡ଼ିକର ଉତ୍ସାହ ବୃଦ୍ଧି କରିବ ବୋଲି ପ୍ରକାଶ କରିଥିଲେ l ଏହି ଅବସରରେ ମାନ୍ୟବର ମନ୍ତ୍ରୀ ସମସ୍ତଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିଥିଲେ l
ଏହି ଅବସରରେ ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୪ର ଏହି ସମସ୍ତ ବିଜେତାଙ୍କୁ ଏହି ବିଶେଷ ସଫଳତା ପାଇଁ ଆଜିର କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ପୁରସ୍କୃତ ହୋଇଥିବା ସମସ୍ତ ପଞ୍ଚାୟତିରାଜ ଅନୁଷ୍ଠାନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପାଞ୍ଚୟତିରାଜ ପ୍ରତିଷ୍ଠାନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ
ଜଣାଇଛନ୍ତି । ଏହା ସହ ୨୦୩୦ ମସିହା ସୁଦ୍ଧା ମିଳିତ ଜାତିସଂଘ ଦ୍ବାରା ଧାର୍ଯ୍ୟ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଦେଶର ପ୍ରତିବଦ୍ଧତା ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳ ବିକାଶମୂଳକ କାର୍ଯ୍ୟର ଆହ୍ବାନକୁ ଦୃଷ୍ଟିରେ ରଖି ତ୍ରି-ସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ମହତ୍ବପୂର୍ଣ ଭୂମିକା ଗ୍ରହଣ କରିଛନ୍ତି । ଆମ ରାଜ୍ୟର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଯଥା ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଜାତୀୟ ସ୍ତରରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖୁଛନ୍ତି, ଯାହାକି ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ପ୍ରକାଶ କରିଛନ୍ତି l
ସୂଚନାଯୋଗ୍ୟ ଯୋଗ୍ୟ ଯେ ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୪ ଅଧୀନରେ ସାତଟି ବର୍ଗରେ ଓଡ଼ିଶାକୁ ପୁରସ୍କୃତ କରାଯାଇଛି l ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ଦ୍ୱାରା ପ୍ରଦତ୍ତ ଏହି ଜାତୀୟ ପଞ୍ଚାୟତ ପୁରସ୍କାରରେ ସାତଗୋଟି ବର୍ଗରେ ଓଡ଼ିଶାକୁ ସର୍ବାଧିକ ୮ କୋଟି ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି l
ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାତଗୋଟି ବର୍ଗରେ ଓଡ଼ିଶାକୁ ପୁରସ୍କୃତ କରିଥିଲେ l ଏହା ମଧ୍ୟରେ ଦୀନଦୟାଲ ଉପଧ୍ୟାୟ ପଞ୍ଚାୟତ ଶତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ କେଳୁଆପଲ୍ଲୀ ଗ୍ରାମ ପଞ୍ଚାୟତକୁ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ରୂପେ ୭୫ ଲକ୍ଷ ଓ ହିଞ୍ଜିଳିକାଟୁ ବ୍ଲକର ସାହାପୁର ଗ୍ରାମପଞ୍ଚୟତକୁ ଦ୍ୱିତୀୟ ଆତ୍ମନିର୍ଭରଶୀଳ ଭିତ୍ତିଭୂମିଯୁକ୍ତ ଗ୍ରାମପଞ୍ଚାୟତ ପୁରସ୍କାର ପାଇଁ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।
ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ପୁରସ୍କାର ଅଧୀନରେ କୋରାପୁଟ ଜିଲ୍ଲାକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଜିଲ୍ଲା ପରିଷଦ ରୂପେ ୩ କୋଟି ଟଙ୍କା ଓ ଗଞ୍ଜାମ ଜିଲ୍ଲା ଛତ୍ରପୁର ପଞ୍ଚାୟତ ସମିତିକୁ ଶେଷ୍ଠ ପଞ୍ଚାୟତ ସମିତି ରୂପେ ୨ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ବିଶେଷ ପଞ୍ଚାୟତ ପୁରସ୍କାର ଅଧୀନରେ ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ ବ୍ଲକ୍ କେନ୍ଦ୍ରିକେଲା ଗ୍ରାମ ପଞ୍ଚାୟତାକୁ କାର୍ବନ ନିଉଟ୍ରାଲ୍ ବିଶେଷ ପଞ୍ଚାୟତ ପୁରସ୍କାର ବର୍ଗରେ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପାଇଁ ୭୫ ଲକ୍ଷ ଓ କଶିରା ଗ୍ରାମ ପଞ୍ଚାୟତକୁ ଗ୍ରାମ ଊର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ବର୍ଗରେ ଦେଶରେ ତୃତୀୟ ସ୍ଥାନ ଅଧିକାର କରିଥିବା ପାଇଁ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା l ଏହା ସହ ‘ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର’ବର୍ଗରେ ଓଡ଼ିଶାର ‘ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପାଞ୍ଚୟତିରାଜ ପ୍ରତିଷ୍ଠାନକୁ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ପଞ୍ଚାୟତ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନକାରୀ ଅନୁଷ୍ଠାନ ରୂପେ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ଗିରିଶ ଏସ୍ ଏନ୍, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପାଞ୍ଚୟତିରାଜ ପ୍ରତିଷ୍ଠାନର ଉପ -ନିର୍ଦ୍ଦେଶକ ଶ୍ରୀମତୀ ଅମ୍ରିତା ପାତ୍ର , ଅନ୍ୟ ବରିଷ୍ଠ ଅଧିକାରୀ ଓ ଜାତୀୟ ପଞ୍ଚାୟତ ପୁରସ୍କାର ବିଜେତାବୃନ୍ଦ ଉପସ୍ଥିତ ରହିଥିଲେ l