ବାରିପଦା- ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ (ଏମକେସି ହାଇସ୍କୁଲ)ର ୧୩୦ତମ ବାର୍ଷିକୋତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼ଃ. ପ୍ରଜ୍ଞା ପାରମିତା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନ ସହିତ ନିଜକୁ ଭଲ ମଣିଷ ଭାବେ ଗଢ଼ି ତୋଳିବା ପାଇଁ ବର୍ତମାନ ଠାରୁ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ମୟୂରଭଞ୍ଜ ଲୋକସଭା ସାଂସଦ ଇଂ. ବିଶେଶ୍ୱର ଟୁଡ଼ୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଏସକେ ଲାଇକୁଦ୍ଦିନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ଏକ ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ଶିକ୍ଷକ ଶିକ୍ଷୟତ୍ରୀମାନେ ବିଦ୍ୟାଳୟରେ ଶୈକ୍ଷିକ ପରିବେଶ ସୃଷ୍ଟି ପାଇଁ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବହି ବଗିଚା ଲୋକାର୍ପିତ ହୋଇଥିଲା । ସେହିପରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଡ଼ଃ ଜେନା ତାଙ୍କ ଅଧ୍ୟକ୍ଷ ଅଭିଭାଷଣରେ ବିଦ୍ୟାଳୟର ସ୍ମୃତିକୁ ଉଚ୍ଚାରଣ ସହ ଆଗାମୀ ଦିନରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ଶିକ୍ଷକ ଡ଼ଃ. ଶଶୀଧର ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଗାୟତ୍ରୀ ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତ ବାର୍ଷିକ ବିବରଣୀ ପାଠ, ଶିକ୍ଷକ ଅମିତାଭ ମିଶ୍ର ଧନ୍ୟବାଦ ଅର୍ପଣ ଓ ଶିକ୍ଷକ ଅମୂଲ୍ୟ କୁମ୍ଭକାର, ମନୋଜ କୁମାର ପରିଡ଼ା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା ଏବଂ ସମସ୍ତ ଶିକ୍ଷକ, ଶିକ୍ଷା କର୍ମଚାରୀ, ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।