ଭଦ୍ରକ – ଗତ ତିନିଦିନ ଧରି ପ୍ରତୁ୍ୟଷରୁ ଭଦ୍ରକ ଜିଲାର ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଘନ କୁହୁଡିରୁ ଆସ୍ତରଣରେ ଯେଭଳି ଘୋଡାଇ ହୋଇରହୁଛି, ତାହା ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଜନଜୀବନକୁ ପ୍ରଭାବିତ କରିଆସୁଛି । ଏପରିକି ଅନେକ ବ୍ୟକ୍ତି କବାଟ ଖୋଲି ବାହାରକୁ ବାହାରିଲେ ଖୁବ୍ ପାଖରୁ ବି ମୁହଁକୁ ମୁହଁ ଚିହ୍ନି ପାରୁନାହାଁନ୍ତି । କେତେକ ସକାଳ ହୋଇନଥିବାର ଭ୍ରମରେ ପୁଣି ଶୋଇପଡୁଥିବାର ଦେଖାଯାଉଛି । ଯେଉଁଆଡକୁ ଚାହଁ ଗଛ-ବୃଛ, ରାସ୍ତା-ଘାଟ ସବୁ ଏକାକାର । ଯଦିବା କାଁ ଭାଁ ଗାଡିମୋଟର ଚଳାଚଳ କରୁଛି, ଖୁବ୍ ପାଖକୁ ନଆସିବା ପର୍ଯ୍ୟନ୍ତ ଗାଡିର ଲାଇଟ୍ ମଧ୍ୟ ବାରିହେବା ଦୁସାଧ୍ୟ ହେଉଛି । ଏବେ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ହେବା ଅବସରରେ ଏହି ପରିବେଶ ୧୬ନଂ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ରାସ୍ତାଘାଟରେ ଛୋଟବଡ ଦୁର୍ଘଟଣା ଘଟାଉଛି । ଏହି ଘନ କୁହୁଡିର ବେଗ ବେଳେବେଳେ ବରଫର ହିମ ପ୍ରବାହ ଭଳି ଯେଭଳି ମାଡି ଆସୁଛି, ତାହା ସୂର୍ଯ୍ୟାଲୋକକୁ ରୁଦ୍ଧ କରି ଅନ୍ଧକାର ସହ ହେମାଳର ପ୍ରକୋପ ବଢାଇ ଦେଉଛି । ଯେଉଁଆଡକୁ ଚାହଁ ସମସ୍ତ ଗଛପତ୍ର ଡାଳ ଓ କୋଠାବାଡି, ଦୋକାନବଜାରର ଛାତରୁ ଥପ୍ ଥପ୍ କାକର ପଡୁଥିବାର ଦୃଶ୍ୟ ଝିପି ଝିପି ବର୍ଷାର ମାହୋଲ ସୃଷ୍ଟି କରୁଛି । ଯାହା ରାସ୍ତାଘାଟ, ମାଟି ଓ ଆକାଶ ସଭିଁଙ୍କୁ ଏକାକାର କରି ଦୂର ଦିଗ୍ବଳୟକୁ ମେଘାଛନ୍ନ ଭଳି ଅଦୃଶ୍ୟମୟ କରିଛି । ଏଭଳି ଏକ ପରିବେଶର ମଜା ଉଠାଉଛନ୍ତି ବହୁ ଛୋଟବଡ ମଣିଷମାନେ । କେଉଁ କେବିନ୍ ତଳ ରାସ୍ତାପାଶ୍ୱର୍ ଓ ପଲ୍ଲୀ ପରିବେଶରେ ସେମାନେ ପତ୍ରକୁଟା ଜାଳି ନିଆଁ ପୁଉଁଥିବାର ଦେଖାଯାଉଛି । କ୍ରମେ ସୂର୍ଯ୍ୟାଲୋକ ପ୍ରଖର ହେବା ସହ ଏହି କୁହୁଡିର ଆସ୍ତରଣ ସଂପୂର୍ଣ୍ଣ ହ୍ରାସ ପାଇବା ବେଳକୁ ସମୟ ପ୍ରାୟ ପୂର୍ବାହ୍ନ ୧୦ଟା ଅତିକ୍ରମ କରିଯାଉଛି । ତେବେ ଏହି ପରିବେଶ ଦ୍ୱାରା ଥଣ୍ଡା, ଜ୍ୱର, କାଶ ଭଳି ରୋଗ ବୃଦ୍ଧି କରାଇବାର ଆଶଙ୍କା ଥିବାରୁ ଲୋକମାନଙ୍କୁ ଏ ଦିଗରେ ଜିଲା ସ୍ୱାସ୍ଥ୍ୟ ବିଭାଗର ସଚେତନ କରାଇବାର ଆବଶ୍ୟକତା ରହିଛି ବୋଲି ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି ।
Related Stories
November 23, 2024