

ଭଦ୍ରକ – ଓଡ଼ିଶା ଇତିହାସର ମାନଚିତ୍ରରେ ଭଦ୍ରକ ଏଭଳି ଏକ ଜିଲା ଯାହା ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ବହୁ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିଆସିଛି । ହିନ୍ଦୁ ଧର୍ମରେ ବାରମାସର ତେର ପର୍ବ ମଧ୍ୟରେ ମକର ସଂକ୍ରାନ୍ତି ଏକ ନିଆରା ପର୍ବ । ଏହି ପର୍ବକୁ ଆବାଳ ବୃଦ୍ଧ ବନିତା ୩ ଦିନରୁ ୧୫ ଦିନ ପର୍ଯ୍ୟନ୍ତ ଅପରୂପ ବର୍ଣ୍ଣାଢ୍ୟ ପରିବେଶରେ ସ୍ଥାନୀୟ ଠାକୁର ଓ ଠାକୁରାଣୀଙ୍କୁ ନେଇ ପାଳନ କରିଥାନ୍ତି । ସେହିଭଳି ଏକ ବହୁ ପ୍ରାଚୀନ ପୀଠ ବନ୍ତ ବ୍ଲକ୍ର ନିଳୋକ ପଂଚାୟତର ମୁଖ୍ୟ ବଜାର ଠାରୁ ମାତ୍ର ୨୫୦ ମିଟର ଦୂରରେ ପୂଜା ପାଇଆସୁଥିବା ମା’ ବଉଳାଶୁଣୀ ପୀଠ । ମାତ୍ର ୫୦ ବର୍ଷ ତଳର ଏହି ପୀଠର ମକର ମେଳା ଏବେ ଏକ ପରମ୍ପରାରେ ପରିଣତ ହୋଇଯାଇଛି । ଏହି ମେଳା ସମୟରେ ବିଦେଶରେ ଥିବା ସ୍ଥାନୀୟ ଲୋକମାନେ ଘର ବାହୁଡା ହୋଇଥାନ୍ତି । ମକର ସଂକ୍ରାନ୍ତି ଦିନ ମା’ଙ୍କର ଏହି ପୀଠର ପ୍ରଥମ ଦିନରେ ଯଜ୍ଞ ଓ ଅଧିବାସ, ଦ୍ୱିତୀୟ ଦିନ ମଧ୍ୟମ ଓ ତୃତୀୟ ଦିନ ପୂର୍ଣ୍ଣାହୁତି ହେଉଥିବାବେଳେ ଦୋକାନ ବଜାର ଓ ଯାତ୍ରା ଭଳି ବହୁ ରଂଗାରଂଗ କାର୍ଯ୍ୟକ୍ରମ ଦୀର୍ଘ ୧୫ଦିନ ଧରି ଲୋକଙ୍କୁ ଆକର୍ଷିତ କରାଇଆସୁଛି । ଏହି ପୀଠର ଇତିହାସ ସଂପର୍କରେ ଯାହା ଜଣାଯାଏ ୧୯୬୫ ମସିହା ଶ୍ରାବଣ ମାସର ଏକ ଛୋଟିଆ ଘଟଣା କ୍ରମେ ଦୁଇଜଣ ବାଳକ ବିଦ୍ୟାଳୟ ଯିବା ବାଟରେ ପାଣି କାଦୁଅ ରାସ୍ତା ପାଖ ନୟନଯୋରୀ ଭିତରୁ କଳା ମୁଗୁନି ପଥରଟେ ପାଇ ଗୁଳ୍ମଲତାଛନ୍ନ ପଡିଆ ମଧ୍ୟରେ ନେଇ ଖେଳୁ ଖେଳୁ ପାଖଆଖ ପୁଷ୍କରିଣୀ ନିକଟରେ ଥିବା ନିମ୍ବଗଛ ମୂଳେ ରଖି ମିଛି ମିଛିକା ଠାକୁର ଖେଳ ଖେଳିଲେ । ସୁଦୂର କୋଲକତାରେ ରହି ପୂଜାର୍ଚ୍ଚନା କରୁଥିବା ସେହି ଗ୍ରାମର ଚକ୍ରଧର ପଣ୍ଡା ନାମକ ଜଣେ ବ୍ରାହ୍ମଣ ହଠାତ୍ ସ୍ୱପ୍ନାଦେଶ ପାଇ ଗ୍ରାମକୁ ଫେରି ନୀତିନିୟମ ମୂଳେ ମକର ସଂକ୍ରାନ୍ତି ଠାରୁ ପୂଜାର୍ଚ୍ଚନା କରି ବାର ବର୍ଷ ପର୍ଯ୍ୟନ୍ତ ନିଜେ ଉକ୍ତ ପୂଜାର ସମସ୍ତ ଦାୟିତ୍ୱ ଗ୍ରହଣ କଲେ । ସ୍ୱପ୍ନାଦେଶ ଅନୁଯାୟୀ ବଉଳା ପାହାଡରୁ ଏହି କଳା ମୁଗୁନି ଆସିଥିବାରୁ ତାଙ୍କ ନାମ ‘ବଉଳାଶୁଣୀ’ ରଖାଯାଇଥିଲା । ବାରବର୍ଷରେ ପୂର୍ଣ୍ଣାହୁତି ଦେବା ସମୟରେ ଚକ୍ରଧରଙ୍କ ବଡପୁତ୍ର ବଳରାମ ଅଗ୍ନିକାଣ୍ଡରେ ଶୀକାର ହୋଇ ଶତଚେଷ୍ଟା ପରେବି ଆଖି ବୁଜିଥିଲେ । ଏହି ଘଟଣାରେ ସଂପୂର୍ଣ୍ଣ ଭାଙ୍ଗିପଡିଥିଲେ ଚକ୍ରଧର । ମାତ୍ର ମନକୁ ଦୃଢ କରି ଗ୍ରାମବାସୀଙ୍କ ସହଯୋଗରେ ସେ ସେଠାରେ ପୂଜାର୍ଚ୍ଚନା ଓ ମକର ମେଳାକୁ ଜାରି ରଖିଲେ । ଯାହା ଏବେ ‘ବଉଳାଶୁଣୀ ମକର ମେଳା’ ନାମରେ ପରିଚିତ । ସଂପ୍ରତି ଏହା ଲୋକପି୍ରୟତା ବୃଦ୍ଧି କରିଆସୁଥିବାବେଳେ ଏହାର ମୁଖ୍ୟ ପୂଜକ କୃଷ୍ଣଚନ୍ଦ୍ର ପଣ୍ଡା ଓ ଯଜ୍ଞ ପରିଚାଳକ ଭାବେ ନାରାୟଣ ଚନ୍ଦ୍ର ଦ୍ୱିବେଦୀ, ବସନ୍ତ କୁମାର ମିଶ୍ର, ଉପେନ୍ଦ୍ର ମିଶ୍ର ଓ ରମେଶ ଚନ୍ଦ୍ର ଦ୍ୱିବେଦୀ ପ୍ରମୁଖ ବ୍ରାହ୍ମଣମାନେ ନିୟୋଜିତ ଥିବାବେଳେ ପରିଚାଳନା କମିଟିରେ କିଶୋର ଚନ୍ଦ୍ର ବେହେରା, ନବକିଶୋର ପଣ୍ଡା, ନୀଳମଣି ମିଶ୍ର, ନାରାୟଣ ଚନ୍ଦ୍ର ଦାସ, ଅଭିମନୁ୍ୟ ଦାସ, ଅନିରୁଦ୍ଧ ଦାସ, ସାମ୍ବାଦିକ ହରି ନାରାୟଣ ମହାନ୍ତି, ନାରାୟଣ ଚନ୍ଦ୍ର ମିଶ୍ର ଓ ଭାସ୍କର ଚନ୍ଦ୍ର ମହାନ୍ତି ପ୍ରମୁଖ ଦାୟିତ୍ୱ ତୁଲାଉଥିବାର ଦେଖାଯାଇଛି ।