-
ଯୋଡି ଶଙ୍ଖରେ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ବ୍ରହ୍ମପୁର/ଭୁବନେଶ୍ୱର, ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ଆଜି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି-ଶେରଗଡରେ ବିରାଟ ଜନସଭା ସହ ଆଜି ବିଜୁ ଜନତା ଦଳର ବିଜୟ ଶଙ୍ଖ ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ଓ ଶେରଗଡରେ ଦୁଇଟି ବିରାଟ ଜନସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁ ଜନତା ଦଳର ବିଜୟ ଅଭିଯାନର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯୋଡି ଶଙ୍ଖ ହେଉଛି ଓଡିଶାର ପରିଚୟ । ଯୋଡି ଶଙ୍ଖ ହେଉଛି ବିକାଶର ପରିଚୟ ବୋଲି ମତଦେଇ ସେ କହିଥିଲେ ଯେ ଓଡିଶାର ସାଢେ ଚାରି କୋଟି ଲୋକଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଚଳିତ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକସଭାରେ ବିପୁଳ ବିଜୟ ହାସଲ କରିବ । ସେ କହିଥିଲେ ଯେ ବିଜୁ ଜନତା ଦଳ ସବୁବେଳେ ଏକ ନମ୍ବର ଦଳ ହୋଇ ରହିଆସିଛି । ଜନତାଙ୍କ ଆଶୀର୍ବାଦରେ ଏହି ନିର୍ବାଚନରେ ମଧ୍ୟ ପୁଣି ଥରେ ଏକ ନମ୍ବର ହେବ ଓ ବିକାଶର ଯାତ୍ରାକୁ ଆହୁରି ମଜବୁତ କରିବ ।
ସେ କହିଥିଲେ ଯେ ସାଢେ ଚାରି କୋଟି ଓଡିଶାବାସୀ ହେଉଛନ୍ତି ତାଙ୍କର ପରିବାର । ଏହି ସାଢେ ଚାରି କୋଟି ପରିବାର ସଦସ୍ୟଙ୍କ କଲ୍ୟାଣ ପାଇଁ ମୁଁ ସବୁବେଳେ କାମ କରିଚାଲିଛି ଓ ଶେଷ ପର୍ଯ୍ୟନ୍ତ କରିଚାଲିବି ବୋଲି ସେ କହିଥିଲେ ।ସେ ପୁଣି କହିଥିଲେ ଯେ ହିଞ୍ଜିଳି-ଶେରଗଡ ଆଜି ସାରା ଦେଶରେ ବିକାଶର ଏକ ମଡେଲ ହୋଇଛି । ୫-ଟି ରୂପାନ୍ତର ଯାତ୍ରାରେ ହିଞ୍ଜିଳି ଶେରଗଡ଼ ବାସୀଙ୍କ ସହଯୋଗର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଓଡିଶାର ଚାଷୀମାନେ, ମିଶନ ଶକ୍ତିର ମା ମାନେ ଜିରୋ ପରସେଣ୍ଟ ସୁଧରେ ଋଣ ପାଉଛନ୍ତି । ସଶକ୍ତ ଓଡିଶା ଗଠନ ଦିଗରେ ଏହା ଏକ ମାଇଲଖୁଂଟ ।
ଯୁବଶକ୍ତି ଉପରେ ନିଜର ଭରସା ପ୍ରକାଶ କରି ସେ କହିଥିଲେ ଯେ ରାଜ୍ୟର ବିକାଶରେ ଯୁବଶକ୍ତିର ଉପଯୋଗ ପାଇଁ ରାଜ୍ୟରେ ସ୍ୱତନ୍ତ୍ର ଯୁବ ବଜେଟ ଅସିବ । ୨୦୨୪ ରୁ ୨୦୩୪ ଏହି ଦଶକ ହେବ ଯୁବଶକ୍ତି ପାଇଁ ସୁବର୍ଣ୍ଣ ଯୁଗ । ଯୁବ ବଜେଟରେ ଶିଳ୍ପ, ପୁଞ୍ଜି ବିନିଯୋଗ, ନିଯୁକ୍ତି ତଥା ଦକ୍ଷତା ବିକାଶ ଉପରେ ଫୋକସ ରହିବ ବୋଲି ସେ କହିଥିଲେ । ସେ ପୁଣି କହିଥିଲେ ଯେ ୨୦୨୪ ରୁ ୨୦୩୪ ହେବ ଓଡିଶାର ଦଶକ ଓ ଓଡିଶା ତାର କାମ ପାଇଁ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବ । ୨୦୩୬ରେ ଯେତେବେଳେ ଓଡିଶା ଶହେ ବର୍ଷ ପୂରଣ କରିବ, ସେତେବେଳେ ଆମ ରାଜ୍ୟ ହେବ ଦେଶର ଏକ ନମ୍ବର ରାଜ୍ୟ ।
ବିରୋଧୀ ଦଳର ରାଜନୀତି ଉପରେ ମତଦେଇ ସେ କହିଥିଲେ ଯେ ବିକାଶ ଆମର ପରିଚୟ ହୋଇଥିବା ବେଳେ, ବିରୋଧୀ ଦଳ ଗୁଡିକ ସବୁବେଳେ ଅଯଥା ରାଜନୀତି କରୁଛନ୍ତି । ବିକାଶକୁ ବିରୋଧ କରୁଛନ୍ତି, ଅପପ୍ରଚାର କରୁଛନ୍ତି । ଓଡିଶାବାସୀ ସେମାନଙ୍କ ଅସଲ ରୂପକୁ ଲୋକ ଚିହ୍ନିଛନ୍ତି । ବିକାଶକୁ ବିରୋଧ କରି କେହି କେବେ ସଫଳ ହେବେ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।
ଏହି ସଭାରେ ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ ଜନସାଧାରଣଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ହିଞ୍ଜିଳି-ଶେରଗଡ ହେଉଛି ଦେଶର ଏକ ନମ୍ବର ନିର୍ବାଚନ ମଣ୍ଡଳୀ । ହିଞ୍ଜିଳି-ଶେରଗଡର ବିଧାୟକ ହେଉଛନ୍ତି ଦେଶର ଏକ ନମ୍ବର ବିଧାୟକ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ । ତେଣୁ ଆପଣମାନେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ସର୍ବାଧିକ ଭୋଟ ବ୍ୟବଧାନରେ ଜିତାଇ ତାଙ୍କର ଏକ ନମ୍ବର ସ୍ଥାନ ବଜାୟ ରଖନ୍ତୁ ବୋଲି ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।
ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ପ୍ରମିଳା ବିଶୋଇ ପ୍ରମୁଖ ନିଜ ନିଜ ଅଭିଭାଷଣରେ ଜନସାଧାରଣଙ୍କୁ ବିଜୁ ଜନତା ଦଳକୁ ଜିତାଇବା ପାଇଁ ଅନୁରୋଧ କରିଥିଲେ ।