
ବୌଦ୍ଧ- ବୌଦ୍ଧ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଅବସରରେ ଏକ ଆଲୋଚନାଚକ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଆଲୋଚନାଚକ୍ରକୁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଉଦଘାଟନ କରିବା ସହ ଶିଶୁ ଓ ମହିଳାମାନଙ୍କୁ ସମ୍ମାନ ତଥା ସେମାନଙ୍କର ସମସ୍ତ ଅଧିକାରକୁ ସୁରକ୍ଷା ଓ ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଦରକାର ଓ ସମସ୍ତ ସରକାରି କର୍ମଚାରି ସେ ଦିଗରେ ତତ୍ପରତତା ସହ ଉପଯୁକ୍ତ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଜିଲାରେ ବାଲ୍ୟବିବାହ ପ୍ରଥାକୁ ସମ୍ପୂର୍ଣ୍ଣ ମାତ୍ରାରେ ଲୋପ କରିବାକୁ ଆମେ ପ୍ରତିଶୃତିବଦ୍ଧ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହ ଆମ ଜିଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ପ୍ରୟାସ କରିବାକୁ ପରମର୍ଶ ଦେଇଥିଲେ । କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଜିଲା ଆଇନ୍ ସେବା ପ୍ରାଧିକରଣର ସଚିବ ପ୍ରଭୁରାମ ଦାଶ ଅଧିକାରୀ ଯୋଗଦେଇ କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟ।।ତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ ୨୦୧୩, ପାରିବାରିକ ହିଂସା ନିବାରଣ ଆଇନ୍-୨୦୦୫ ଏବଂ ଡ଼ାହାଣି ଓ ଗୁଣିଗାରେଣି ନିବାରଣ ଆଇନ-୨୦୧୩ ରେ ଥିବା ଆଇନର ଦିଗ, ନିରାକରଣ, ପ୍ରତିକାର ଓ ଦଣ୍ଡ ବିଧାନ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ପ୍ରଶିକ୍ଷକ ଭାବେ କିଶୋର ନ୍ୟାୟବୋର୍ଡ ସଦସ୍ୟ ବୌଦ୍ଧର ରାଜିବ କୁମାର ନାୟକ ଯୋଗଦେଇ ବାଲ୍ୟବିବାହ ନିଶେଧ ଆଇନ୍-୨୦୦୬ ର ବିଭିନ୍ନ ଦିଗ ତଥା ଶିଶୁ ମାନଙ୍କ ଉପରେ ହେଉଥିବା ଶାରିରିକ ମାନସିକ ନିର୍ଯ୍ୟାତନା ଓ ଆଇନରେ ଥିବା ଦଣ୍ଡ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । କର୍ମଶାଳାରେ ଅନ୍ୟତମ ଅତିଥି ଭାବେ ଶିଶୁମଙ୍ଗଳ ସମିତି ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ ଯୋଗଦେଇ ଶୃଙ୍ଖଳିତ ଜୀବନ ଯାପନ କରିବା ସଙ୍ଗେ ସଙ୍ଗେ ନିଜର ସୁରକ୍ଷା ନିମନ୍ତେ ଯେଉଁ ଆଇନ ଅଛି ତାହାର ଲାଭ ଉଠାଇବାକୁ କହିଥିଲେ । ଅନ୍ୟତମ ଅତିଥି ଭାବେ ବୌଦ୍ଧ ବ୍ଲକ୍ ଶିକ୍ଷା ଅଧିକାରି ଧୃବଚରଣ ଘିବିଲା ଯୋଗ ଦେଇ ଶିଶୁ ମାନଙ୍କର ବିଭିନ୍ନ ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଜିଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ ସଭାପତିତ୍ୱ କରିଥିବା ବେଳେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ସ୍ୱାଗତ ଭାଷଣ ସାଙ୍ଗକୁ ଅତିଥି ପରିଚୟ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ବୌଦ୍ଧ ସିଡିପିଓ ମିନତି ଦେଓ, କନ୍ତାଳ ସିଡିପିଓ ଜ୍ୟୋସ୍ନା ପାଢୀ, ହରଭଙ୍ଗା ସିଡିପିଓ ହରିପ୍ରିୟା ମେହେର, ସୁରକ୍ଷା ଅଧିକାରୀ( ଘରୋଇହଂସା)ବିଜୟଲକ୍ଷ୍ମୀ ମାରାଣ୍ଡି ଓ ସମସ୍ତ ସୁପରଭାଇଜର ,ଅଙ୍ଗନବାଡି କର୍ମି,ସ୍ୱୟଂ ସହାୟତା ଗୃପର ସଦସ୍ୟା, ମହିଳାବିଦ୍ୟାଳୟର ଛାତ୍ରୀ ସରକାରି ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ, ଯୋଗଦେଇ ଥିଲେ । ଶେଷରେ ଡି.ପି.ଏମ. ଦେବବ୍ରତ ମିଶ୍ର, ମିଶନ ଶକ୍ତି ବୌଦ୍ଧ ଧନ୍ୟବାଦ ଅର୍ପଣ କରିଥିଲେ ।