-
ଭଗବତ ପ୍ରାପ୍ତି ପାଇଁ ଭକ୍ତି ମାର୍ଗ ହେଉଛି ସର୍ବ ସୁଗମ ଓ ସର୍ବ ସୁଲଭ
ଖୋର୍ଦ୍ଧା, ଜୟୀ ରାଜଗୁରୁ ଟାଉନ ହଲ୍ ରେ ଚାଲିଥିବା ପୂଜନୀୟା ରାସେଶ୍ଵରୀ ଦେବୀଙ୍କ ଦ୍ଵାରା ସପ୍ତ ଦିବସୀୟ ଦାର୍ଶନିକ ପ୍ରବଚନ କାର୍ଯ୍ୟକ୍ରମ ଗତକାଲି ସଂନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦଯାପନୀ ସନ୍ଧ୍ୟାରେ ପୂର୍ବ ଦିନ ମାନଙ୍କ ତୁଳନାରେ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । ଗତ ୭ ଦିନ ଧରି ଏହି ପ୍ରବଚନ ଶୃଙ୍ଖଳାର ଶେଷ ସନ୍ଧ୍ୟାରେ ଶ୍ରୋତା ମାନଙ୍କ ଉଦ୍ଦେଶ୍ୟରେ ଦେବୀ ଜୀ କହିଥିଲେ ଯେ, ବେଦ-ଶାସ୍ତ୍ରରେ ଭଗବତ ପ୍ରାପ୍ତିର ବିଭିନ୍ନ ଉପାୟ ବା ମାର୍ଗ ଲେଖା ଯାଇଥିଲେ ବି ଭକ୍ତି ମାର୍ଗ ହେଉଛି ସର୍ବ ସୁଗମ ଏବଂ ସର୍ବ ସୁଲଭ । ଭକ୍ତର ଭକ୍ତି ଅଥବା ପ୍ରେମରେ ହିଁ ଭଗବାନ ପ୍ରସନ୍ନ ହୋଇଥାନ୍ତି । ଆମ ମାନଙ୍କ ମନରେ ସାଧାରଣ ଭାବେ ପ୍ରଶ୍ନ ଉଠିଥାଏ ଯେ ସଂସାରର ସବୁ କର୍ତବ୍ୟ କରିବା ସହିତ ଭକ୍ତି କିପରି କରିହେବ ବା ଭକ୍ତି ମାର୍ଗରେ ଜଣେ କିପରି ଭାବେ ଆଗେଇ ପାରିବ ? ଏହାର ସରଳ ସମାଧାନରେ ବିଭିନ୍ନ ପ୍ରକାରର ଉଦାହରଣ ଦେଇ ପୂଜନୀୟା ଦେବୀ ଜୀ କହିଥିଲେ ଯେ, ଭଗବାନ କେବେ ବି ଆମମାନଙ୍କ ଶରୀର ବା ଶାରୀରିକ କ୍ରିୟା କର୍ମକୁ ଦେଖନ୍ତି ନାହିଁ, ସିଏ କେବଳ ଆମ ମନର ଶ୍ରଦ୍ଧା ବା ଭକ୍ତି ଭାବକୁ ହିଁ ଦେଖିଥାନ୍ତି । ସେଥିପାଇଁ ଆମେ ଶରୀର ଦ୍ଵାରା ସଂସାର ପାଇଁ କର୍ତବ୍ୟ ଏବଂ ମନରେ ଭଗବାନଙ୍କ ଭକ୍ତି କରିବା ଉଚିତ । ପ୍ରତିଟି ଯୁଗରେ ସେହି ଯୁଗ ଅନୁସାରେ ଯୁଗ-ଧର୍ମ ନିର୍ଦ୍ଧାରିତ କରାଯାଇଅଛି । ସତ୍ୟ ଯୁଗରେ “ଧ୍ୟାନ” , ତ୍ରେତୟା ଯୁଗରେ “ଯଜ୍ଞ” ଏବଂ ଦ୍ଵାପର ଯୁଗରେ “ପୂଜା” । କଳିଯୁଗରେ – ଧର୍ମ ହେଉଛି “ନାମ ସଂକୀର୍ତନ” । କାର୍ଯ୍ୟକ୍ରମର କର୍ମକର୍ତା ମାନେ ଜଣାଇଛନ୍ତି ଯେ, ଆଗାମୀ ୬ ଏବଂ ୭ ତାରିଖ ପୂଜନୀୟା ଦେବୀଜୀ ଖୋର୍ଦ୍ଧାରେ ଅବସ୍ଥାନ କରିବେ ଏବଂ ଏହି ଦୁଇ ଦିନ ନିଜର ଉପସ୍ଥିତିରେ ପ୍ରକୃତ ଶାସ୍ତ୍ରୀୟ ପଦ୍ଧତି ଅନୁସାରେ ନାମ ସଂକୀର୍ତନର ବ୍ୟବହାରିକ ପ୍ରୟୋଗ ବିଷୟରେ ଅବଗତ କରାଇବେ ।
ଏହି ଉଦଯାପନୀ ସନ୍ଧ୍ୟାରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମ ଶେଷରେ ମଂଚାସୀନ ଦେବୀ ଜୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଏବଂ ଏହି ୭ ଦିନର କାର୍ଯ୍ୟକ୍ରମରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ମନରେ ଭକ୍ତିର ଧାରା ଉପୁଜାଇବା ନେଇ ବିଶେଷ ଭାବେ ଶ୍ରଦ୍ଧାଯୁକ୍ତ ଧନ୍ୟବାଦ ଜଣାଇଥିଲେ । ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ମମତା ଦେ, ଖୋର୍ଦ୍ଧା ଉପ ପୌରପାଳକ ସୌର୍ଯ୍ୟରଞ୍ଜନ ମହାନ୍ତି, ସ୍ଥାନୀୟ ତହସିଲଦାର ବିଭାଶ ରଞ୍ଜନ ପ୍ରଧାନ, ଟାଙ୍ଗୀ ବ୍ଲକର ଚେୟାରମ୍ୟାନ ଋଷନା ମାନଧାତା, ଖୋର୍ଦ୍ଧା ବ୍ଲକ ଚେୟାରମ୍ୟାନ ଶ୍ରୀମୟୀ ପ୍ରିୟ ଦର୍ଶିନୀ, ଖୋର୍ଦ୍ଧା ବ୍ଲକ ଉନ୍ନୟନ ଅଧିକାରୀ କ୍ଷୀରାବ୍ଧି ତନୟ ମହାନ୍ତି, ନୟାଗଡ଼ର ଅତିରିକ୍ତ ପୁଲିସ ଅଧିକ୍ଷକ ଉମାକାନ୍ତ ମଲ୍ଲିକ, ବିଏମସି ଟାଉନ ପ୍ଲାନର୍ ଡକ୍ଟର ଲିଙ୍ଗରାଜ ପ୍ରସାଦ ପଟ୍ଟନାୟକ ଏବଂ ବ୍ରଜ ଗୋପିକା ସେବା ମିଶନର ସ୍ଥାନୀୟ ସଂଯୋଜକ ଦୁର୍ଯ୍ୟୋଧନ ସାହୁ ପୂଜନୀୟା ଦେବୀଜୀଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ ।