
ଗଂଜାମ – ଗତକାଲି ରାତି ପ୍ରାୟ ଏଗାରଟା ସମୟରେ ଖଲିକୋଟ ଥାନା ଅନ୍ତର୍ଗତ ନୂଆ ଲୁଙ୍ଗୁରୁ ଗ୍ରମ (ରାମ ଚନ୍ଦ୍ରପୁର) ଗ୍ରାମର ଶଙ୍କର ପାହାନ (୨୫) କେଶପୁର ପେଟ୍ରୋଲ ପମ୍ପରେ ବାଇକରେ ତେଲ ପକାଇ ଘରକୁ ଫେରୁଥିବା ବେଳେ ତିନି ଚାରିଜଣ ଯୁବକ ତାଙ୍କୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଅଟକାଇ କାଠ ଫାଳିଆରେ ପିଟି ପିଟି ଏବଂ ଇଟା ପଥରରେ ଛେଚି ହତ୍ୟା କରି ଚମ୍ପଟ ମାରିଛନ୍ତି । ଏହା ପ୍ରେମ ଜନିତ ତଥା ପୂର୍ବ ଶତ୍ରୁତା କାରଣୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଗାଁର ଜଣେ ଯୁବତୀଙ୍କ ସହ ମୃତ ଶଙ୍କରର କିଛି ମାସ ହେଲା ପ୍ରେମ ସମ୍ପର୍କ ରହିଥିବା ଜଣାପଡ଼ିଛି । ଖବର ପାଇ ଖଲିକୋଟ ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଛି । ଆଜି ସକାଳେ ସାଇଂଟିଫିକ ଟିମ୍ ସହ ଛତ୍ରପୁର ଏସ.ଡି.ପି.ଓଙ୍କ ସହ ଘଟଣାସ୍ଥଳରେ ପହଂଚି ତଦନ୍ତରେ ଖଲିକୋଟ ପୁଲିସ ଥାନା ଅଧିକାରୀ ସହଯୋଗ କରିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଖଲିକୋଟ ଥାନରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି । ଶବକୁ ବଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇବା ଲାଗି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ଅପେକ୍ଷା କରିଛି । ପେଟ୍ରୋଲ ପମ୍ପରେ ଲାଗିଥିବା ସି.ସି.ଟିଭି କ୍ୟାମେରା ଫୁଟେଜକୁ ଅନୁଧ୍ୟାନ କରି ଅତି ଶୀଘ୍ର ହତ୍ୟା ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।