
ରାୟଗଡ଼ା/ଗୁଣୁପୁର – ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଆଜି ଭୋର୍ ରୁ ଡ଼ଙ୍ଗା ଭସାଇବା ବେଳେ ନଦୀରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।
ନାଗାବଳୀ ନଦୀର ଝୁଲାପୋଲ ନିକଟରେ ଡ଼ଙ୍ଗା ଭସାଇବା ବେଳେ ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରଙ୍କ ନାମ ସୁମନ ବେହେରା । ସେ ୟୁଜିଏମଆଇଟିର ଛାତ୍ର ଥିଲେ । ତାଙ୍କ ଘର ମୁନିଗୁଡ଼ା ଅଂଚଳରେ ବୋଲି ଜଣାପଡିଛି । ଆଜି ସକାଳେ ସୁମନ ତା’ର ଦୁଇ ସାଙ୍ଗଙ୍କ ସହିତ ଡ଼ଙ୍ଗା ଭସାଇବାକୁ ନାଗାବଳୀ ନଦୀକୁ ଯାଇଥିଲେ । ଡ଼ଙ୍ଗା ଭସାଇବା ବେଳେ ପଥରରେ ଲାଗିଥିବା ଶିଉଳିରେ ତାଙ୍କ ଗୋଡ଼ ଖସି ଯିବାରୁ ନଦୀର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ପ୍ରାୟ ୨ ଘଂଟା ଧରି ତଲାସୀ ଅଭିଯାନ ପରେ ସୁମନଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଥିଲେ ।
ସେହିପରି ଅନ୍ୟ ଏକ ଘଟଣା କ୍ରମେ ଗୁଣୁପୁରର ଗୁମୁଡ଼ା ଠାରେ ବଂଶଧାରା ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ଗୁମୁଡ଼ା ଅଂଚଳର ସନ୍ତୋଷ ଜେନା । ସେ ଆଜି ବଡ଼ି ଭୋର୍ ରୁ ପରିବାର ଲୋକଙ୍କ ସହିତ ନଦୀ ଘାଟକୁ ଡ଼ଙ୍ଗା ଭସାଇବାକୁ ଯାଇଥିଲେ । ତେବେ ସେଠାରେ ଗାଧୋଇବା ବେଳେ ଅସାବଧାନତାବଶତଃ ଗଭୀର ପାଣି ମଧ୍ୟକୁ ଭାସଯାଇ ବୁଡ଼ି ଯାଇଥିଲେ । ଅଗ୍ନିଶମ କର୍ମଚାରୀ ମାନେ ତାଙ୍କ ମୃତଦେହକୁ ନଦୀରୁ ଉଦ୍ଧାର କରିଥିଲେ ।