
ପିପିଲି – ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ବାଲି ଗାଁ ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଉତ୍ସବ ମୁଖର ହୋଇ ଉଠିଥିଲା । ଆଜିର ଏହି ବିଶେଷ ତିଥିରେ ଭୋର୍ ରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଏଠାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପୀଠସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ଓ ବେଢା ପରିସରସ୍ଥ ପାଶ୍ୱର୍ ମନ୍ଦିରରେ ଠାକୁରଙ୍କ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପୀଠସ୍ଥ ତୁଳସୀ ବାଟିକା, ପଦ୍ମ ପୋଖରୀ, ଗୋଠଗାଡ଼ିଆ, ରାଧାମୋହନ ମଠରେ ଭକ୍ତଙ୍କ ସମାଗମ ହୋଇଥିଲା ।
ଏହି ଉପଲକ୍ଷେ ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ମୁଖ୍ୟ ପୂଜକ ଲକ୍ଷ୍ମୀଧର ପାଢ଼ୀ, ପୂଜକ ରାମମାନସ ମିଶ୍ର ଓ ନାରାୟଣ ରଥଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ସମାଧି ପୀଠରେ ଆୟୋଜିତ ଅଖଣ୍ଡ ନାମ ସଂକୀର୍ତନରେ ନିଖିଳ ଉକ୍ରଳ ଓଡ଼ିଶୀ ସଂକୀର୍ତନ ମହାସଂଘ ପିପିଲି ଶାଖା, ଭକ୍ତ ଦାସିଆ ସଂକୀର୍ତନ ମଣ୍ଡଳି ସହ ଆଖପାଖ ଅଂଚଳର ଅନେକ ସଂକୀର୍ତନ ମଣ୍ଡଳି ଅଂଶଗ୍ରହଣ କରି ଗାୟକ ରାଜହଂସ ଶ୍ରୀ ଯୋଗେନ୍ଦ୍ର ସାହୁଙ୍କ ନେତୃତ୍ୱରେ ନାମ ସଂକୀର୍ତନ ପରିବେଷଣ କରିଥିଲେ । ଏହି ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ଭକ୍ତ ମାନଙ୍କ ନିମନ୍ତେ ଖେଚୁଡ଼ି ଭୋଗର ବ୍ୟବସ୍ଥା କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ଡଃ ଘନଶ୍ୟାମ ସ୍ୱାଇଁ, ବରିଷ୍ଠ ସଦସ୍ୟ ବିଜୟ କୁମାର ଦାସ, ହୃଷିକେଶ ଜେନା, ଲାବଣ୍ୟ ଶବର ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।