
ବାଲେଶ୍ୱର – ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଧୋବଶିଳା ପଂଚାୟତର ୧୧ ନଂ ୱାର୍ଡ଼ ଅଧିନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ କେହି ଆକ୍ରୋଶମୂଳକ ଭାବେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡରେ ଏହା ମଧ୍ୟରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ।
କୌଣସି କାରଣରୁ ଅଙ୍ଗନବାଡ଼ି କର୍ମୀଙ୍କୁ ଗ୍ରାମବାସୀ ବିରୋଧ କରିଥିଲେ । ବିବାଦ କ୍ରମଶଃ ତେଜିବାରୁ ଅଙ୍ଗନବାଡ଼ି କର୍ମୀ ଓ ଗାଁ ଲୋକଙ୍କ ପକ୍ଷରୁ ଏହି କେନ୍ଦ୍ର ଫାଟକରେ ଦୁଇଟି ପୃଥକ୍ ପୃଥକ୍ ତାଲା ପକାଯାଇଥିଲା । ଦୀର୍ଘ ଦେଢ଼ ବର୍ଷ ହେବ ଏହି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଥିଲା । ତେବେ ଆଜି ସକାଳେ କେନ୍ଦ୍ର ଭିତରେ ନିଆଁ ଜଳୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ସେମାନେ ଏ ସମ୍ପର୍କରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ହେଲେ, ଦମକଳ ବାହିନୀ ସେଠାରେ ପହଂଚିବା ବେଳକୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା । କେହି ଆକ୍ରୋଶମୂଳକ ଭାବେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।