
ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦକୁ ଉଚ୍ଚଶିକ୍ଷା ବିଭାଗର ସହ ନିର୍ଦେଶକ ଶ୍ରୀଯୁକ୍ତ ବି. ଶରଙ୍ଗୀ ଅଚାନକ ପୂର୍ବାହ୍ନ ଘ. ୧୦.୩୫ ମି ରେ ପହଁଚି ପରିଦର୍ଶନ କରିଥିଲେ। ପ୍ରଥମେ ବାୟୋ ମେଟ୍ରିକ ଉପସ୍ଥାନକୁ ତନ୍ନ ତନ୍ନ ଯାଞ୍ଚ କରି ଜାଣିବାକୁ ପାଇଲେ ଯେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯଥା ସମୟରେ ଉପସ୍ଥିତ ରହି ନିଜ ନିଜର କାର୍ଯ୍ୟ ନିର୍ବାହ କରିଥିଲେ। ପରେ ପ୍ରତେକ ଶ୍ରେଣୀଗୃହ ଗୁଡିକୁ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କ ସହ ପାଠ ପଢା ଠିକ୍ ସମୟରେ ହେଉଛି କି ନାହିଁ ପଚାରି ବୁଝିଥିଲେ। ଛାତ୍ରଛାତ୍ରୀ ମାନେ ନିୟମିତ ପାଠ ପଢା ହେଉଥିବା କହିବାରୁ ସହ ନିର୍ଦେଶକ ମହାଶୟ ଅତ୍ଯନ୍ତ ଖୁସି ହୋଇ ଅଧ୍ୟକ୍ଷଙ୍କୁ ସାଧୁବାଦ ଜଣାଇଥିଲେ। ତତ୍ ସଙ୍ଗେ ସଙ୍ଗେ ବିଦ୍ୟାଳୟର ଗ୍ରନ୍ଥାଗାର, କମ୍ପୁଟର୍ ସେଣ୍ଟର ଓ ବିଜ୍ଞାନଗାର ଗୁଡିକୁ ପରିଦର୍ଶନ କରିଥିଲେ। ପରି ଶେଷରେ ସମସ୍ତ କର୍ମଚାରୀ ଓ ଅଧ୍ୟକ୍ଷଙ୍କୁ ନେଇ ସରକାରଙ୍କ ଜନହିତକର 5T କାର୍ଯ୍ୟକ୍ରମକୁ ସୂଚାରୁରୂପେ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ।