ବୌଦ୍ଧ : ବୌଦ୍ଧ ସହର ନିକଟସ୍ଥ ଏକ ଆବାସିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ପୁଅର ନିସ୍ତୁକ ମାଡରେ ୧୮ ଜଣ ଛାତ୍ରଛାତ୍ରୀ ଆହାତ ହେବା ଭଳି ଆବନୀୟ ଘଟଣା ଘଟିଛି । ବୌଦ୍ଧଜିଲା ହରଭଙ୍ଗା ବ୍ଳକ ଅନ୍ତର୍ଗତ କାଲେଶ୍ୱର ଗ୍ରାମର ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଭିତରେ ରଖାଯାଇଥିବା ପ୍ରଧାନଶିକ୍ଷକଙ୍କ ପୁଅର ସାଇକେଲ ଉପରେ କେହି ପରିଶ୍ରା କରିଦେବାରୁ ପ୍ରଧାନଶିକ୍ଷକଙ୍କ ନାବାଳକ ପୁଅ ପ୍ରାୟ ୨୧ ଜଣ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ ମାରିଥିବା ଜଣାପଡିଛି । ବ୍ଲକର କାଲେଶ୍ୱର ଠାରେ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱେଛାସେବୀ ସଂସ୍ଥା ବିଶ୍ୱ ଜୀବନ ସେବା ସଂଘ , ଖୋର୍ଦ୍ଧା ଦ୍ୱାରା ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟରେ ଘଟିଛି ଏହି ଘଟଣା । ସୂଚନା ମୁତାବକ ବିଦ୍ୟାଳୟ ପରିସରରେ ପରିବାର ନେଇ ରହୁଥିବା ପ୍ରଧାନଶିକ୍ଷକ ବିଦ୍ୟାଳୟ କାର୍ଯ୍ୟରେ ବାହାରକୁ ଯାଇଥିବାବେଳେ ଗୁରୁବାର ସକାଳୁ ତାଙ୍କର ନାବାଳକ ପୁଅ ଅନ୍ୟ ଏକ ବିଦ୍ୟାଳୟକୁ ପଢି ଯିବାକୁ ସାଇକେଲ ବାହାର କରିବାକୁ ଯିବା ସମୟରେ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେଠାରେ ପରିଶ୍ରା କରିଥିବା ଦେଖିବାକୁ ପାଇଥିଲେ । ଏହାକୁ ନେଇ ପ୍ରଧାନଶିକ୍ଷକଙ୍କ ନାବାଳକ ପୁଅ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କିଏ ଏଠାରେ ପରିଶ୍ରା କରିଛି ବୋଲି ପଚାରିଥିଲେ । କିନ୍ତୁ ଛାତ୍ରଛାତ୍ରୀମାନେ ନିରବ ରହିବାରୁ ସେ ଉତ୍ୟକ୍ତ ହୋଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ଧାଡିରେ ଠିଆ କରାଇ ଏକ ବାଡି ସାହାଯ୍ୟରେ ପ୍ରାୟ ୨୧ ଜଣ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ ମାରିଥିଲେ । ଛାତ୍ରଛାତ୍ରୀମାନଙ୍କ କାନ୍ଦ ବୋବାଳି ଶୁଣି ଗ୍ରାମବାସୀମାନେ ଘଟଣା ସଂପର୍କରେ ଥାନାକୁ ସୂଚନା ଦେଇଥିଲେ । ସୂଚନା ପାଇବାପରେ ଥାନା ଅଧିକାରୀ ତପସ୍ୱିନୀ କହଁର, ଶିଶୁ ସୁରକ୍ଷା ଅଧିକାରୀ ରାହୁଳ କୁମାର ପ୍ରଧାନ ଓ ଜିଲା ମଙ୍ଗଳ ଅଧିକାରୀ ବିନୋଦ ନାଏକ ବିଦ୍ୟାଳୟରେ ପହଂଚି ଘଟଣାର ତଦନ୍ତ କରିବା ସହିତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ବୁଝାଶୁଝା କରିଥିଲେ । ତେବେ ଏହି ଘଟଣା ଜଣାପଡିବା ପରେ ଅଭିଭାବକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜିଲା ମଙ୍ଗଳ ଅଧିକାରୀ ମାମଲାର ତଦନ୍ତ କରିବେ ବୋଲି ଜଣାପଡିଛି ।
Related Stories
November 3, 2024