
ଜଟଣୀ – ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱର (ଆଇଆଇଟି) ଜଟଣୀସ୍ଥିତ ସ୍ଥାୟୀ କ୍ୟାମ୍ପସ୍ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର୍ ଆର. ଭି. ରାଜକୁମାର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ଗୋଲ୍ସ ଅଫ ଗଭର୍ଣ୍ଣାନ୍ସ ଜେନେରାଲ୍ ବସନ୍ତ ମହାପାତ୍ର, ଏଭିଏସଏମ୍, ଅବସରପ୍ରାପ୍ତ ପୂର୍ବତନ ପୋଲିସ ଡ଼ିଜି ନିମାଇଁ ଚରଣ ପାଢ଼ୀ ଓ ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନିଲ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ସେମାନେ କହିଥିଲେ ଯେ, ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାର ସର୍ଭେ ରିପୋର୍ଟ ଅନୁସାରେ ଦୁର୍ନିତୀରେ ଭାରତର ସ୍ଥାନ ୭୦ରୁ ଉଦ୍ଧ୍ୱର୍ରେ ଥିବା ବେଳେ ରାଜ୍ୟର ସ୍ଥାନ ୧୨ରୁ ଉଦ୍ଧ୍ୱର୍ରେ ରହିଛି । ସେ କହିଥିଲେ ସର୍ଭେ ରିପୋର୍ଟରେ ରାଜ୍ୟର ପୁଲିସ, ରାଜସ୍ୱ, ପୌର ପ୍ରଶାସନ, ପଚାଂୟତ ଆଦି ବିଭିନ୍ନ ବିଭାଗରୁ ଦୁର୍ନୀତି ଅଭିଯୋଗମାନ ଆସୁଛି । ୩୦ ବର୍ଷରୁ ଉଦ୍ଧ୍ୱର୍ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା, ସଚ୍ଚୋଟତା ଏବଂ ମାନୁଆଲ ପରିବର୍ତେ ବିଭିନ୍ନ ବିଭାଗରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରାଗଲେ ସମାଜରେ ଦୁର୍ନୀତି ଲୋପ ପାଇପାରିବ ବୋଲି ସେମାନେ ମତ ଦେଇଥିଲେ । ରାଜ୍ୟ ସରକାରଙ୍କ ୫-ଟି ଯୋଜନା ଯଦି ଫଳବତୀ ହୁଏ ତେବେ ସାରା ରାଜ୍ୟରୁ ଧିରେ ଧିରେ ଦୁର୍ନୀତି ଲୋପ ପାଇବ । କେତେକ ସ୍ଥଳରେ ସୂଚନା ଅଧିକାର ଆଇନ ଲାଗୁ ହେବା ପରେ ବହୁ ଅଧିକାରୀ ଓ କର୍ମଚାରୀ ସ୍ଥଳ ବିଶେଷରେ ସଞ୍ଜତ ହୋଇ କାର୍ଯ୍ୟ କରୁଛନ୍ତି । ଆଉ କେତେକ ମଧ୍ୟ ଏହି ଆଇନକୁ ଭୃକ୍ଷେପ ନକରି କାର୍ଯ୍ୟ କରି ଚାଲିଛନ୍ତି । ହେଲେ ଏବେ ବେଳ ଆସିଛି ଜଣେ ବ୍ୟକ୍ତି ହେଉ ବା ଅଧିକାରୀ ହେଉ ଦୁର୍ନୀତି ଜାଲରୁ ସହଜରେ ଆଉ ଖସିପାରିବ ନାହିଁ । ଏଥିପାଇଁ ମଧ୍ୟ ରାଜ୍ୟ ଦୁର୍ନୀତିି ନିବାରଣ ବିଭାଗ ସତର୍କତାର ସହ କାର୍ଯ୍ୟ ଚଳାଇଛି ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କୁଳସଚିବ ଦେବରାଜ ରଥଙ୍କ ସମେତ ଅନ୍ୟାନ୍ୟ ବହୁ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।