
ଗଞ୍ଜାମ,ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ କରୋନା ପଶି ଯାଇଥିବାରୁ ଏହା ସହର ବାସୀଙ୍କୁ ମର୍ମାହତ କରିଛି । ଠାକୁରାଣୀଙ୍କ ଦୁଇ ପୂଜକଙ୍କ ଠାରେ କରୋନା ସଂକ୍ରମଣ ଦେଖାଯିବା ପରେ ଆଜି ଠାରୁ ଠାକୁରାଣୀଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଠାକୁରାଣୀଙ୍କ ଅସ୍ଥାୟୀ ମନ୍ଦିରର ୪ ଦ୍ୱାର ମଧ୍ୟରୁ ତିନି ଦ୍ୱାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । କେବଳ ଗୋଟିଏ ଦ୍ୱାରରେ ପୂଜକ ଓ ସେବାୟତ ମାନେ ଯାଇ ପୂଜାର୍ଚ୍ଚନା କରିବେ । ଏଥି ନିମନ୍ତେ ୧୦ ଜଣ ପୂଜକ ଓ ସେବାୟତଙ୍କୁ ଅନୁମତି ମିଳିଛି । ଦେଶି ବେହେରା ସାହି ତଥା ଅସ୍ଥାୟୀ ମଣ୍ଡପ ଅଂଚଳକୁ ସମସ୍ତ ଦିଗରୁ ବ୍ୟାରିକେଡ୍ କରି ବନ୍ଦ କରାଯାଇଛି । ସମ୍ପୃକ୍ତ ଅଂଚଳରେ ୧୬ ତାରିଖ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ୧୪୪ ଧାରା ଜାରୀ କରାଯାଇଛି । କେବଳ ଏହି ସାହି ବାସିନ୍ଦା ମାନେ ପରିଚୟ ପତ୍ର ଦେଖାଇ ସାହି ବାହାରକୁ ଯାତାୟାତ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି ।