ବାରିପଦା, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଦୁଧିଆଣି ଗ୍ରାମପଚାଂୟତ ବୁଢ଼ୀ ଗାଁ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ପତ୍ନୀ ପ୍ରେମିକ ସହିତ ଶୋଇଥିବା ବେଳେ ପ୍ରେମିକକୁ ହତ୍ୟା କରିଛି ସ୍ୱାମୀ । ଆକ୍ରମଣରେ ପତ୍ନୀ ମଧ୍ୟ ଗୁରୁତର ହୋଇଛନ୍ତି । ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ କଟୁରୀକୁ ପୋଲିସ ଜବତ କରିଛି ।
ସୂଚନା ଅନୁଯାୟୀ, ବୁଢ଼ୀ ଗାଁ ଗ୍ରାମର ରୂପା ହେମ୍ବ୍ରମ ତିନି ବର୍ଷ ପୂର୍ବରୁ ପାର୍ବତୀ ହେମ୍ବ୍ରମଙ୍କୁ ବିବାହ କରିଥିଲେ । ହେଲେ ସେହି ଗ୍ରାମର ଫୁଟେ ଦେହୁରୀ ନାମକ ଜଣେ ଯୁବକଙ୍କ ସହିତ ପାର୍ବତୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗତ ବୁଧବାର ଦିନ ପାର୍ବତୀ ଫୁଟେ ସହ ମିଶି ଘର ଛାଡି ଚାଲି ଆସିଥିଲା । ହେଲେ ଇତିମଧ୍ୟରେ ପାର୍ବତୀର ଗର୍ଭସ୍ଥ ଶିଶୁକୁ ନଷ୍ଟ କରିଦେଇଥିବା ନେଇ ଫୁଟେ ରୂପାକୁ କହିବା ପରେ ସେ ପ୍ରତିହିଂସା ପରାୟଣ ହୋଇ ଉଠିଥିଲା । ଗତକାଲି ରାତିରେ ପାର୍ବତୀ ପ୍ରେମିକ ଫୁଟେ ସହିତ ଶୋଇଥିବା ବେଳେ ରୂପା ଏକ କଟୁରୀ ସାହାଯ୍ୟରେ ଉଭୟଙ୍କୁ ଆକ୍ରମଣ କରିଥିଲା । ଫଳରେ କଟୁରୀ ଚୋଟରେ ଘଟଣାସ୍ଥଳରେ ଫୁଟେ ପ୍ରାଣ ହରାଇଥିବା ବେଳେ ପାର୍ବତୀ ଗୁରୁତର ହୋଇଛନ୍ତି । ତାଙ୍କ ଓଠ ଓ ଡ଼ାହାଣ ହାତରେ ଗଭୀର ଆଘାତ ଲାଗିଛି । କରଞ୍ଜିଆ ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ସ୍ୱାମୀ ରୂପାକୁ ଗିରଫ କରିଛି । ହତ୍ୟାରେ ବ୍ୟବହୃତ କଟୁରୀକୁ ଜବତ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।