-
୨୧୪ଟି କଲ୍ର ସମାଧାନ ହୋଇଛି ବାକି ସମସ୍ୟା ଖୁବଶୀଘ୍ର ସମାଧାନ ହେବ: ଜିଲ୍ଲାପାଳ
ବ୍ରହ୍ମପୁର: ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ୍ କେୟାର ସେଣ୍ଟର ସହ ଶୀତଳାପଲ୍ଲିସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ, ପାରଳା ମହାରାଜା କୋଭିଡ କେୟାର ସେଣ୍ଟରରେ ଚିକିତ୍ସା, ପାଣି, ଖାଦ୍ୟ ପରିମଳ ସମ୍ବନ୍ଧୀୟ ଅବ୍ୟବସ୍ଥା ନେଇ ଭିଡିଓ ଭାଇରାଲ ହୋଇଥିଲା । ପୁଣି ବୁଧବାର ଏ ସମ୍ପର୍କିତ ସମସ୍ୟା ଉପରେ ୨ଟି ଅଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅପରପକ୍ଷରେ ଜିଲ୍ଲାରେ ଥିବା ୨୪ଘଣ୍ଟିଆ କଲ୍ ସେଣ୍ଟରକୁ ବୁଧବାର କୋଭିଡ୍ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ଥିବା କରୋନା ରୋଗୀମାନଙ୍କ ପକ୍ଷରୁ ୨୪୯ଟି କଲ୍ ଆସିଛି । ସେଥିରୁ ୨୧୪ଟି କଲ୍ରେ ଆସିଥିବା ସମସ୍ୟା ସମାଧାନ ହୋଇଛି । ଅନ୍ୟ ସମସ୍ୟା ଖୁବଶୀଘ୍ର ସମାଧାନ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍କରି ଗୁରୁବାର ସୂଚନା ଦେଇଛନ୍ତି । ଏଥିସହ ୭୮କରୋନା ରୋଗୀଙ୍କ ପରିବାର ମଧ୍ୟ ଉକ୍ତ କଲ୍ ସେଣ୍ଟରକୁ କଲ କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି । ଉକ୍ତ କୋଭିଡ୍ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରର ରୋଗୀମାନେ ଅଭିଯୋଗ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ଘଣ୍ଟିଆ କଲ୍ ସେଣ୍ଟର ଖୋଲାଯାଇଛି ।