କନ୍ଧମାଳ/ବାରିପଦା– ଲଦାଖର ଗାଲୱାନ ଘାଟିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ହେବା ଘଟଣାରେ ସହିଦ୍ ୨୦ ଭାରତୀୟ ଯବାନଙ୍କୁ ଆଜି ଦିଲ୍ଲୀରେ ରାଷ୍ଟ୍ରୀୟ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ପରେ ସହିଦ୍ ଦୁଇ ଓଡ଼ିଆ ଯବାନ କନ୍ଧମାଳ ଜିଲ୍ଲାର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଞ୍ଜ ଜିଲ୍ଲାର ନନ୍ଦୁରାମ ସୋରେନଙ୍କ ପାର୍ଥିବ ଶରୀର ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଥମେ ଅପରାହ୍ନ ୨ ସୁଦ୍ଧା ଭୁବନେଶ୍ୱରେ ଆସି ପହଂଚିବା ନେଇ ସୂଚନା ମିଳିଛି । ଏହା ପରେ ସେଠାରେ ରାଷ୍ଟ୍ରୀୟ ସମ୍ମାନ ସାଙ୍ଗକୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେମାନଙ୍କ ପାର୍ଥିବ ଶରୀରକୁ ହେଲିକେପ୍ଟର ଯୋଗେ ନିଜ ନିଜ ଜନ୍ମମାଟିକୁ ନିଆଯିବ ଏବଂ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଗାଁ ଶ୍ମଶାନରେ ତୋପସଲାମୀ ଓ ଅନ୍ତିମ ସଂସ୍କାର କରାଯିବାର କାର୍ଯ୍ୟକ୍ରମ ରହିଛି ।
ହେଲେ ଆଜି ପାଗ ଖରାପ ଥିବାରୁ ନିର୍ଦ୍ଧାରିତ ସମୟରେ ହେଲିକେପ୍ଟର ପହଂଚିବା ନେଇ ସନ୍ଦେହ ଉପୁଜିଥିବା ନେଇ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଯବାନଙ୍କ ଜନ୍ମମାଟି ରାଇକିଆ ବ୍ଲକ୍ ଅନ୍ତର୍ଗତ ଡ଼ଡ଼ଙ୍ଗିଆ ପଚାଂୟତର ବିଅରପାଙ୍ଗା ଠାରେ ପହଂଚି ସହିଦ୍ ଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଛନ୍ତି । କିନ୍ତୁ, ପରିବାର ଲୋକେ ତାଙ୍କ ପୁଅର ମରଶରୀରକୁ ବିଳମ୍ବିତ ସମୟରେ ହସ୍ତାନ୍ତର ନକରି ପୋଲିସ ସହିଦ ଯବାନଙ୍କ ଶବକୁ ନିଜ ହେପାଜତରେ ରଖିବା ସହ ଆସନ୍ତା କାଲି ସକାଳେ ହସ୍ତାନ୍ତର କଲେ ସେମାନେ ପାରମ୍ପରିକ ନୀତି ନିୟମ ଅନୁସାରେ ଶେଷକୃତ୍ୟ କରିପାରିବେ ବୋଲି ଅନୁରୋଧ କରିଛନ୍ତି । ତୋପ ସଲାମୀ ପରେ ସେଠାରେ ତାଙ୍କର ଶେଷ କୃତ୍ୟସମ୍ପନ୍ନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହିଦ୍ ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସେହିପରି ତାଙ୍କ ଗ୍ରାମ ବିଅରପାଙ୍ଗା ଠାରେ ମଧ୍ୟ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ବେଳେ ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ତୋପସଲାମୀ ପାଇଁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସବୁ କାର୍ଯ୍ୟକ୍ରମ ବେଳେ ସାମାଜିକ ଦୂରତା ରକ୍ଷା କରାଯିବା ନେଇ ସମସ୍ତ ବ୍ୟବସ୍ଥା ପୋଲିସ ପକ୍ଷରୁ କରାଯାଇଥିବା ସୂଚନା ମିଳିଛି ।
ଅନୁରୂପ ଭାବେ ସହିଦ୍ ଯବାନ ନନ୍ଦୁରାମ ସୋରେନଙ୍କ ମରଶରୀର ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ମୁଖ୍ୟାଳୟ ରାଇରଙ୍ଗପୁରରେ ପହଂଚିବ । ସେଠାରେ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶ୍ରଦ୍ଧାଞ୍ଜଳି
ଦିଆଯିବ । ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେଠାରୁ ତାଙ୍କ ମରଶରୀରକୁ ନିଜ ଜନ୍ମମାଟି ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ ବିଜାତଳା ବ୍ଲକ୍ ଚମ୍ପାରଦା ଗ୍ରାମକୁ ନିଆଯିବ । ତୋପ ସଲାମୀ ପରେ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବାର କାର୍ଯ୍ୟକ୍ରମ ରହିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଯବାନଙ୍କ ଅନ୍ତିମ ସଂସ୍କାର ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ସହିଦ୍ ଓଡ଼ିଆ ବୀର ଯବାନଙ୍କ ଶେଷ ଦର୍ଶନ କରିବା ପାଇଁ ଅଶ୍ରୁପୂର୍ଣ୍ଣ ନୟନରେ ଚାହିଁ ବସିଛନ୍ତି ଅଂଚଳବାସୀ । କେତେବେଳେ ଗାଁରେ ପହଂଚିବ ଯବାନ ପାର୍ଥିବ ଶରୀର ଓ ଶେଷ ଦର୍ଶନ ମିଳିବ ସୁଯୋଗ ତାକୁ ହିଁ କେବଳ ସମସ୍ତଙ୍କର ଅପେକ୍ଷା ।
ପ୍ରକାଶ ଥାଉ କି, ଲଦାଖର ଗାଲୱାନ ଭ୍ୟାଲିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ହେବା ଘଟଣାରେ ୨୦ ଭାରତୀୟ ଯବାନ ଗତ ୧୫ ତାରିଖ ସଂନ୍ଧ୍ୟାରେ ସହିଦ୍ ହୋଇଥିଲେ ।