-
୨ଦିନରେ ଗଞ୍ଜାମରୁ ୪୬ ସନ୍ଦିଗ୍ଧ ଚିହ୍ନଟ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଔଷଧ ଦୋକାନରୁ ଔଷଧ କିଣିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ତଥ୍ୟ ରଖିବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମସ୍ତ ଔଷଧ ଦୋକାନୀକୁ ନିର୍ଦ୍ଦେଶ ଦେଇଥିଲେ । ଔଷଧ କିଣୁଥିବା ଲୋକଙ୍କ ନାମ ଓ ଠିକଣା ସହ କେଉଁ ଔଷଧ କିଣୁଛନ୍ତି ତାହାର ତଥ୍ୟ ରଖିଲେ କେଉଁମାନେ କରୋନା ସନ୍ଦିଗ୍ଧ ରହିଛନ୍ତି ତାହା ଶୀଘ୍ର ଚିହ୍ନଟ ହୋଇପାରିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଥିଲା । ଗଞ୍ଜାମ ଜିଲ୍ଲାରେ ଶୁକ୍ରବାର ଓ ଶନିବାର ବିଭିନ୍ନ ମେଡିକାଲ୍ ଷ୍ଟୋରରୁ ୪୬ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି । ଶୁକ୍ରବାର ଦିନ ୨୦ଜଣ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ବେଳେ ଶନିବାର ଦିନ ୨୬ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ଏନ୍ଏଚ୍ଏମ୍ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ୟାମସୁନ୍ଦର ତ୍ରିପାଠୀ ସୂଚନା ଦେଇଛନ୍ତି । ଶନିବାର ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲାର ୨୩୧୪ମେଡିକାଲ୍ ଷ୍ଟୋରରୁ ୨୬ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ବ୍ରହ୍ମପୁର ମହାନଗର ନିଗମରେ ୪୨୯ଟି ଔଷଧ ଦୋକାନରୁ ୩ଜଣ ଶ୍ୱାସକ୍ରୀୟା ଜନିତ ଓ ଅନ୍ୟ ୩ଜଣ ଜ୍ୱର, ଥଣ୍ଡା, କାଶ ଓ ଅନ୍ୟ ଲକ୍ଷଣ ଥିବା ଜଣାପଡିଛି । ସେହିଭଳି ଛତ୍ରପୁର ଓ ବ୍ରହ୍ମପୁର ସବ୍ଡିଭିଜନ ଅଞ୍ଚଳରୁ ୧୨୩୬ ଔଷଧ ଦୋକାନରୁ ୩ଜଣ ଶ୍ୱାସକ୍ରୀୟା ଜନୀତ ଓ ୧୩ଜଣ ଥଣ୍ଡା ଜ୍ୱର ଜନୀତ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଞ୍ଜନଗର ସବ୍ଡିଭିଜନରୁ ୬୪୯ ଔଷଧ ଦୋକାନରୁ ୪ଜଣ ଜ୍ୱର ଓ ଥଣ୍ଡାଜନୀତ ରୋଗୀ ଚିହ୍ନଟ ହୋଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି । ଏହି ୨୬ଜଣଙ୍କୁ ତୁରନ୍ତ ଏକା ରହିବାକୁ ପରାମର୍ଶ ଦିଆଯିବା ସହ ସେମାନଙ୍କ ସ୍ୱାବ ସଂଗ୍ରହ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ସେମାନଙ୍କ ଶରୀରରେ କରୋନା ପଜେଟିଭ ରହିଛି ନା ନାହିଁ ତାହା ସ୍ୱାବ ସଂଗ୍ରହକରି ରିପୋର୍ଟ ଆସିବାପରେ ଜଣାପଡିବ ବୋଲି ଜଣାପଡିଛି ।