-
ବିଦେଶୀ ମଦ ସହ ମାଲିକ ଓ ୨କର୍ମଚାରୀ ଗିରଫ
ବ୍ରହ୍ମପୁର: ଅବକାରୀ ବିଭାଗ କାମ କରୁଛି ପୋଲିସ । ହାତଗୁଞ୍ଜା ନେଇ ଚୋରା ମଦ କାରବାରକୁ ପ୍ରୋତ୍ସାହନ ଦେଉଥିବା ଜିଲ୍ଲା ଅବକାରୀ ବିଭାଗ କୋମାରେ । ଗଞ୍ଜାମ ଜିଲ୍ଲାର ୨ ପୋଲିସ ଜିଲ୍ଲାରେ ଅବକାରୀ ଧରପଗଡରେ କେଉଁଠି ପୋଲିସକୁ ଆକ୍ରମଣ କରାଯାଉଛି ତ ଆଉ କେଉଁଠି ପୋଲିସର ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଉଛି । ଏହି ମର୍ମରେ ଗତ ୧୦ଦିନ ମଧ୍ୟରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ଅବକାରୀ ମାମଲା ରୁଜୁ ହୋଇ ନକଲି ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଶନିବାର ବଡିଭୋରରୁ ଟାଉନ୍ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀଙ୍କୁ ଏକ ଅଜଣା ଫୋନ୍କଲ୍ ଆସିଥିଲା । ୱାନ୍ ୱେ ଟ୍ରାଫିକ୍ ରୋଡ୍ରେ ଥିବା ମୋତିମହଲ ବାର୍ରେ ମଦ ବିକ୍ରି ଚାଲିଛି ।
ଏହାପରେ ଶ୍ରୀ ତ୍ରିପାଠୀ ସଦଳବଳେ ମୋତିମହଲ ଉପରେ ସିନେମା ଷ୍ଟାଇଲ୍ରେ ଚଢ଼ାଉକରି ବିଭିନ୍ନ ବ୍ରାଣ୍ଡର ୫୪ଲିଟର ବିଦେଶୀ ମଦ ବୋତଲ ଜବତ କରିଥିଲେ । ଲକ୍ ଡାଉନ୍ ପାଇଁ ସମସ୍ତ ମଦ ଦୋକାନ ଓ ବାର୍କୁ ଅବକାରୀ ବିଭାଗ ବନ୍ଦ କରିଥିବା ବେଳେ କେଉଁଭଳି ସ୍ଥିତିରେ ବାର୍ ଖୋଲି ମଦ ବିକ୍ରି କରାଯାଉଥିଲା ତାହା ଏବେ ଅବକାରୀ ବିଭାଗର କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମଦ ବିକ୍ରି କରୁଥିବା ଅଭିଯୋଗରେ ବାର୍ ମାଲିକ ଦୁର୍ଗାପ୍ରସାଦ ପାତ୍ର ଓରଫ୍ ପିଙ୍କୁଙ୍କ ସହ ବାର୍ କର୍ମଚାରୀ ବସନ୍ତ ସେଠୀ(୨୫), ପ୍ରକାଶ ନାୟକ(୨୪)କୁ ଗିରଫକରି ଥାନା କେଶ୍ ନମ୍ବର ୭୭/୨୦ରେ କୋର୍ଟଚାଲାଣ କରାଯାଇଥିବା ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି । ଏବେ ସହରର ବିଭିନ୍ନ ଥାନା ଇଲାକାରେ ନକଲି ଦେଶୀ ଓ ବିଦେଶୀ ମଦ କାରବାର ଚାଲିଥିବାରୁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାନଯାଇ ବ୍ରହ୍ମପୁର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ନକଲି ମଦ କାରବାରକୁ ରୋକାଯାଉଥିବାରୁ ସହରବାସୀ ଓ ବୃଦ୍ଧିଜୀବୀମାନେ ପୋଲିସକୁ ସାଧୁବାଦ ଜଣାଇଛନ୍ତି ।